Bikash Khabar
ଉପକଣ୍ଠରେ ଥାଇ ଦେଖିନଥିଲେ ରାଜଧାନୀ, ମନ୍ଦିର, ଉଦ୍ୟାନ, ଐତିହ୍ୟ ସ୍ମାରକୀ ବୁଲି ଦେଖିଲେ ବନବାସୀ

ରାଜଧାନୀ ଉପକଣ୍ଠରେ ସେମାନଙ୍କର ଗାଁ । ହେଲେ ରାଜଧାନୀ ଦେଖିନଥିଲେ  ସେମାନେ । ରବିବାର ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର ଓ ଶାନ୍ତିସ୍ତୁପ ଧଉଳି ଦେଖିବା ପରେ ଯାହା ଫଟୋରୁ ଦେଖୁଥିଲୁ ତାହା ଆଖିରେ ଦେଖିପାରିଲୁ ବୋଲି ମତ ଦେଇଛନ୍ତି ଚନ୍ଦକା ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟରେ ରହୁଥିବା କନ୍ଦଳେଇର ବିଦ୍ୟାର୍ଥୀ ଓ ବାସିନ୍ଦାମାନେ । ଲିଙ୍ଗରାଜ ଓ ଧଉଳି ସେମାନଙ୍କୁ ଭଲ ଲାଗିଛି ବୋଲି କହିଛନ୍ତି । ଲିଙ୍ଗରାଜ ମନ୍ଦିର ବେଢା ଭିତରେ ଏକାଧିକ ମନ୍ଦିର ଖୁବ୍ ଭଲ ଲାଗିଲା ବୋଲି କହିଥିଲେ ପଂଚମ ଶ୍ରେଣୀ ଛାତ୍ରୀ ନିତିମା । ବିନ୍ଦୁ ସାଗରର ପଥର ପାହାଚ ଓ ଏହାର ସଫାସୁତୁରାକୁ ପ୍ରଶଂସା କରିଥିଲେ ଛାତ୍ରୀ ସରସ୍ୱତୀ ନାୟକ । ଅନନ୍ତ ବାସୁଦେବ ମନ୍ଦିରରେ ଅବଢା ଭୋଗ ରନ୍ଧା ଦେଖି ପିଲାମାନେ ଏହା କ’ଣ ବୋଲି ପଚାରି ବୁଝିଥିଲେ । ରାଜଭବନରେ ରଙ୍ଗୀନ ମାଛ ଓ ଧଉଳିରେ ବିଶାଳ ବୌଦ୍ଧମୂର୍ତ୍ତି ଦେଖି ପିଲାମାନେ ବହୁତ ଖୁସି ହୋଇଥିବା କହିଥିଲେ ସାମାଜିକ କର୍ମୀ ସୁଶାନ୍ତ ସାହୁ । ଭୁବନେଶ୍ୱରଠାରୁ କନ୍ଦଳେଇର ଦୂରତା ମାତ୍ର ୨୫ କି.ମି । ହେଲେ ଗ୍ରାମବାସୀଙ୍କ ଜୀବିକା ଓ ସଂସ୍କୃତି ସେମାନଙ୍କୁ ସହରଠାରୁ ମାଇଲ୍ ମାଇଲର ଦୂରତ୍ୱ ସୃଷ୍ଟି କରିଛି । କୋହ୍ଲ ସମ୍ପ୍ରଦାୟକଙ୍କ ଗାଁ କନ୍ଦଳେଇର ବାସିନ୍ଦାମାନେ ରାତି ପାହିଲେ ଚନ୍ଦକା ଜଙ୍ଗଲ ଓ କୃଷି ଶ୍ରମିକ ଭାବେ ଖଟଣି ଖଟୁଥିବାବେଳେ ପିଲାମାନେ ଗାଁ ପରିସର ଭିତରେ ରହି ରାଜଧାନୀର ଚାକଚକ୍ୟ ଠାରୁ ଦୂରେଇ ଯାଇଛନ୍ତି । ରାଜଧାନୀ କେବେ ଦେଖିନାହାଁନ୍ତି ବୋଲି କେତେକ ପିଲାଙ୍କ ଠାରୁ ଜାଣିବା ପରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଏହି ଐତିହ୍ୟ ନଗରୀର ପରିଭ୍ରମଣର ବ୍ୟବସ୍ଥା କରାଇଥିଲେ । ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକଙ୍କ ଏକ ଦଳକୁ ନେଇ ସାମାଜିକ କର୍ମୀ ସନ୍ତୋଷ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ରଞ୍ଜନ କୁମାର ସାହୁ, ମାନଓ ରଞ୍ଜନ ମିଶ୍ର ପ୍ରମୁଖଙ୍କ ସହଯୋଗ କ୍ରମେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର ଓ ଶାନ୍ତିସ୍ତୁପ ଧଉଳିକୁ ଦେଖାଇ ନେଇଥିଲେ । ପରିଶେଷରେ ସେମାନେ ରାଜଭବନ ଉଦ୍ୟାନ ବୁଲିଲେ । ଜୀବନରେ  ପ୍ରଥମ ଥର ପାଇଁ ସେମାନେ ରାଜଭବନର ୱାଟର ଫାଉଣ୍ଟେନ୍, ମ୍ୟୁଜିକାଲ ଫାଉଣ୍ଟେନ୍, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, କକ୍ଟେଲ୍, ପକ୍ଷୀ ଘର ବୁଲି ଦେଖିପାରିଲେ ବୋଲି ଗ୍ରାମବାସୀ ମତ ଦେଇଥିଲେ । ପରିଭ୍ରମଣ ସମୟରେ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ପ୍ରଦୀପ୍ତ ରଞ୍ଜନ ରାଉତ, ଲକ୍ଷ୍ମୀଧର ସ୍ୱାଇଁ, ସାଇସେବକ ନାରାୟଣ ପ୍ରଧାନ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଂଚାନନ ସାମଲ ପ୍ରମୁଖ ସହଯୋଗ କରିଥିଲେ । 

 

10/01/2019

Leave a Reply

Your email address will not be published. Required fields are marked *

Comments