Bikash Khabar
୧୨ରୁ ଭୁବନେଶ୍ବର ବାଲିଯାତ୍ରା : ୮ଦିନର ଯାତ୍ରା, ୫ଶହ ଷ୍ଟଲ୍‌

 ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଏଥର ବି ଜମିବ ଭୁବନେଶ୍ବର ବାଲିଯାତ୍ରା। ଏଇ ମାତ୍ର ୩ ବର୍ଷ ତଳେ ଆରମ୍ଭ ହୋଇଥିଲେ ହେଁ, ଏହା ସଫଳତାର ଶୀର୍ଷରେ ପହଞ୍ଚିଛି। ୨୦୧୭ରେ ମାତ୍ର ୩୦ଟି ଷ୍ଟଲ୍‌ରୁ ଏହାର ପରିକଳ୍ପନା ହୋଇଥିବା ବେଳେ ୨୦୧୮ରେ ୩୦୦ ଷ୍ଟଲ୍‌ ଲାଗିଥିଲା। ତେବେ ପୂର୍ବ ବର୍ଷ ହଜାର ହଜାର ଲୋକଙ୍କ ସମାଗମ ଓ ବ୍ୟବସାୟୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୫ଶହ ଷ୍ଟଲ୍‌ ଖୋଲିବାକୁ ଯାଉଛି। ରାଜ୍ୟର ବିଭିନ୍ନ କୋଣରୁ ବ୍ୟବସାୟୀମାନେ ‌ଷ୍ଟଲ୍‌ ନେବାକୁ ଭିଡ଼ ଜମାଉଥିବା ବେଳେ ଏପର୍ଯ୍ୟନ୍ତ ୨୫୦ ଷ୍ଟଲ୍‌ ବୁକିଂ ସରିଲାଣି। ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବାଲିଯାତ୍ରା ଏଥର ଅଧିକ ଆଡ଼ମ୍ବରପୂର୍ଣ୍ଣ ହେବାକୁ ଯାଉଛି। ପିଲାଙ୍କ ପାଇଁ ଆକର୍ଷଣୀୟ ରାମଦୋଳି ଓ ଚକ୍ରି ଆଦିର ବନ୍ଦୋବସ୍ତ ରହିଛି। ବୁଲାବୁଲି କରି ଫେରିବା ବେଳେ ସ୍ବାଦିଷ୍ଟ ଖାଦ୍ୟର ସ୍ବାଦ ନେବାକୁ ୧୦୦ଟି ଖାଦ୍ୟ ଷ୍ଟଲ୍‌ ଖୋଲିବାକୁ ଯାଉଛି। ଦର୍ଶକଙ୍କ ମନୋରଂଜନ ପାଇଁ ୩ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରତିଦିନ ୧୦ ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପୂର୍ବ ବର୍ଷ କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଏଥର ବିଧାୟକ ସୁଶାନ୍ତ ରାଉତ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।

 

04/11/2019

Leave a Reply

Your email address will not be published. Required fields are marked *

Comments