Bikash Khabar
ବୈଷୟିକ ପାଠ୍ୟକ୍ରମର ଶିକ୍ଷାବର୍ଷ ବଦଳିଲା :୩ ବର୍ଷ ପରିବର୍ତେ ୨ ବର୍ଷରେ ମିଳିବ ଏମସିଏ ଡିଗ୍ରୀ

 କରୋନା ଯୋଗୁଁ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ହୋଇପାରିନଥିବାରୁ ଏଆଇସିଟିଇ ବୈଷୟିକ ପାଠ୍ୟକ୍ରମର ଶିକ୍ଷାବର୍ଷକୁ ବଦଳାଇ ଦେଇଛି। ଏଥର ଅଗଷ୍ଟ ବଦଳରେ ଅକ୍ଟୋବର ୧୫ରୁ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏଥର ବିଶ୍ବବିଦ୍ୟାଳୟ /ବୋର୍ଡ ସ୍ବୀକୃତି ପାଇବାର ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯେଉଁ ପାଠ୍ୟକ୍ରମ ପାଇଁ ଯେତିକି ସିଟ୍ରେ ନାମ ଲେଖା ହେବ ସେଥିପାଇଁ ଅକ୍ଟୋବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାଉନସେଲିଂ ହେବ। ଅକ୍ଟୋବର ୧୫ସୁଦ୍ଧା ଦ୍ବିତୀୟ ପର୍ଯ୍ୟା, ଖାଲିଥିବା ସିଟ୍ରେ ଅକ୍ଟୋବର ୨୦ ସୁଦ୍ଧା ନାମ ଲେଖା ଶେଷ ହେବ। ପିଜିଡିଏମ୍‌/ପିଜିସିଏମ୍ ପାଠ୍ୟକ୍ରମକୁ ଛାଡ଼ି ବାକି ପାଠ୍ୟକ୍ରମରେ ଅଗଷ୍ଟ ୧୭ରୁ ପାଠପଢ଼ା ଆରମ୍ଭ ହେବ। ଲାଟେରାଲ୍ଏଣ୍ଟ୍ରି ବା ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ପାଠପଢ଼ା ଅକ୍ଟୋବର ୧୫ରୁ ଆରମ୍ଭ ହେବ। ପିଜିଡିଏମ୍, ପିଜିସିଏମ୍ପାଠ୍ୟକ୍ରମରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କର ଅଗଷ୍ଟ ୧୦ରୁ ପାଠପଢ଼ା ହେବ। ଦୂରନିରନ୍ତର ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଅଗଷ୍ଟ ୩୦, ୨୦୨୦ରୁ ଫେବ୍ରୁଆରି ୨୮, ୨୦୨୧ ମଧ୍ୟରେ ନାମ ଲେଖାଇପାରିବେ। ସେହିପରି ଚଳିତ ଶିକ୍ଷାବର୍ଷରୁ ଯେଉଁମାନେ ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖାଇବେ ସେମାନେ ତିନିବର୍ଷ ପାଠ ପଢ଼ିବେନି। ଦୁଇ ବର୍ଷରେ ସେମାନଙ୍କୁ ଏମ୍ସିଏ ଡିଗ୍ରି ମିଳିଯିବ। ଏଆଇସିଟିଇ ଏମ୍ସିଏ ପାଠ୍ୟକ୍ରମର ଅବଧି ତିନି ବର୍ଷରୁ ଦୁଇ ବର୍ଷକୁ କମାଇ ଦେଇଛି। ଏନେଇ ୟୁଜିସିକୁ ବି ଏଆଇସିଟିଇ ଜଣାଇ ଦେଇଛି। ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ବିସିଏ/କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରି/୧୦ +୨ରେ ଗଣିତ ରଖି ବିଜ୍ଞାନ, ବାଣିଜ୍ୟ, କଳାରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ/ ଗଣିତ ବିଷୟ ରଖି କଳାରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଛାତ୍ରଛାତ୍ରୀଙ୍କୁ କିନ୍ତୁ ଏମ୍ସିଏ ପଢ଼ିବା ପାଇଁ ଦେଉଥିବା ପରୀକ୍ଷାରେ ୫୦% ମାର୍କ ରଖି ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସଂରକ୍ଷିତ ବର୍ଗର ହୋଇଥିଲେ ୪୫% ମାର୍କ ରଖିବାକୁ ହେବ।

 

12/07/2020

Leave a Reply

Your email address will not be published. Required fields are marked *

Comments