Bikash Khabar
କଟକ ବାଲିଯାତ୍ରା ଉଦ୍‌ଘାଟିତ:ନଭେମ୍ବର ୨୧ରେ ସରିବ

 କଟକର ଐତିହାସିକ ବାଲିଯାତ୍ରା ଉଦ୍ଘାଟିତ ହୋଇଯାଇଛି। ମହାନଦୀ ତଳ ପଡ଼ିଆର ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି ଚଳିତବର୍ଷ ବାଲିଯାତ୍ରା ୧୦ଦିନ ଧରି ଚାଲିବ ଏବଂ ନଭେମ୍ବର ୨୧ ତାରିଖରେ ଶେଷହେବ। ଉଦ୍ଘାଟନ ଅବସରରେ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ, ବାଲିଯାତ୍ରା ଭଳି ଐତିହାସିକ ଉତ୍ସବ ନିମ୍ନ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ଆର୍ଥିକ ପ୍ରଗତିର ମାଧ୍ୟମ ପାଲଟିଛି। ବାଲିଯାତ୍ରାକୁ ବ୍ୟାବସାୟିକ ପ୍ରଗତିର ମାନଦଣ୍ଡ ଭାବେ ବିଚାର କରାଯାଉଥିବାବେଳେ ରାଜ୍ୟ ସରକାର ବାଲିଯାତ୍ରା ପାଇଁ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଂଚାୟତିରାଜ, ଆଇନ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଚଳିତ ବର୍ଷ ବାଲିଯାତ୍ରା ନୂଆ ରୂପ ନେଇଛି। ଅନେକ ନୂଆ କଥା ଏଥର ଦେଖିବାକୁ ମିଳିବ। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ ବାଲିଯାତ୍ରା ଭଳି ମହୋତ୍ସବ ବ୍ୟାବସାୟିକ ମାନ୍ଦାବସ୍ଥା ଦୂର କରିବାରେ ସହାୟକ ହେବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସାଂସଦ ଭର୍ତ୍ତୃହରି ମହତାବ ବାଲିଯାତ୍ରା ଭଳି ଐତିହାସିକ ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଦରକାର ବୋଲି ମତ ଦେଇଥିଲେ। କଟକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂେର୍ଯ୍ୟାଦିପୁର ଯୋଗ ଦେଇ ବାଲିଯାତ୍ରା ଉତ୍ସବ ଓଡ଼ିଶା ଇଣ୍ଡୋନେସିଆ ମଧ୍ୟରେ ଥିବା ସାଂସ୍କୃ୍ତିକ ସଂପର୍କକୁ ସୁଦୃଢ଼ କରିବାରେସହାୟକ ହେବ ବୋଲି କହିଥିଲେ। ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆର ଜାତୀୟ ବୀର ଭାବେ ବର୍ଣ୍ଣନା କରିବା ସହିତ ଇଣ୍ଡୋନେସିଆ ସ୍ବାଧୀନତା ପ୍ରତି ବିଜୁ ବାବୁଙ୍କ ଅବଦାନ ସଂପର୍କରେ ସିଦ୍ଧାର୍ଥୋ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ,ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବାଲି ଦ୍ବୀପର ସଂସ୍କୃତି ବିଭାଗ ମୁଖ୍ୟ ମୁଦ୍ଦାନା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

13/11/2019

Leave a Reply

Your email address will not be published. Required fields are marked *

Comments