Bikash Khabar
ନାବାଳକ ତମାଖୁ ବ୍ୟବହାରକାରୀ ଭାବେ ଓଡ଼ିଶା ଦେଶରେ ତୃତୀୟ

ତମାଖୁଜନିତ କର୍କଟ ରୋଗ ରାଜ୍ୟରେ ଉଦ୍ବେଗଜନକ ସ୍ଥିତିରେ ରହିଛି। ତାଠାରୁ ଉଦବେଗଜନକ ବିଷୟ ହେଉଛି ରାଜ୍ୟରେ ନାବାଳକ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା। ନାବାଳକ ତମାଖୁ ବ୍ୟବହାରକାରୀଙ୍କ ଭିତରେ ଓଡିଶାର ସ୍ଥାନ ସାରା ଦେଶରେ ତିନି ନମ୍ବରରେ ରହିଛି।ସବୁଠାରୁ ବଡ଼ କଥା ହେଲା, ନାବାଳକ ତମାଖୁ ବ୍ୟବହାରକାରୀଙ୍କୁ ରୋକିବା ଲାଗି ସବୁ ନିର୍ଦ୍ଦେଶ, ନିୟମ କାନୁନ୍ ଫେଲ୍ ମାରିଛି। ଶିକ୍ଷାନୁଷ୍ଠାନ ନିକଟରେ ବଢି ଚାଲିଛି ବେପାର। ସିଗାରେଟ୍ ବ୍ୟବହାରକାରୀ ନାବାଳକ ଧିରେ ଧିରେ ଗଞ୍ଜେଇ ବ୍ରାଉନସୁଗାର ଜାଲରେ ପଡି ଯାଉଛନ୍ତି। ସରକାରଙ୍କ ପ୍ରସ୍ତୁତି ଏମିତି ଯେ ତମାଖୁ କାରବାର ରୋକିବା ଲାଗି ମାତ୍ର ୧୪ଟି ଜିଲ୍ଲାରେ ଅଧିକାରୀ ଅଛନ୍ତି, ଆଉ ୧୬ଟି ଜିଲ୍ଲା ଫାଙ୍କା। ଗୁଟ୍ଖା, ସିଗାରେଟ ଜାଲରେ ନାବାଳକ। ଓଡ଼ିଶାରେ ନାବାଳକ ତମାଖୁ ବ୍ୟବହାରକାରୀଙ୍କ ସ୍ଥିତି ଆହୁରି ସାଂଘାତିକ। ଶିକ୍ଷାନୁଷ୍ଠାନ ନିକଟରେ ଅତି ସହଜରେ ମିଳି ଯାଉଛି ସବୁ ସାମଗ୍ରୀ। ଗୁଟ୍ଖା, ସିଗାରେଟ୍ ଜାଲରେ ପଡ଼ିବା ପରେ ନାବାଳକ ଧୀରେ ଧୀରେ ବ୍ରାଉନସୁଗାର ଆଡକୁ ମୁହାଁଉଛନ୍ତି। ବ୍ରାଉନସୁଗାର କାରବାରରେ ଛାତ୍ର ଧରା ପଡ଼ିବା ପରେ କଥା ସ୍ପଷ୍ଟ ହୋଇଯାଇଛି। କୋଟପା ଆଇନ-୨୦୦୩ର ଧାରା- ଅନୁସାରେ ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧି ଭିତରେ ଗୁଟ୍ଖା, ସିଗାରେଟ୍ ବିକ୍ରି ହେବାର ନିୟମ ରହିଛି। ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ, ବ୍ରାଉନସୁଗାର ଭଳି ନିଶା ବେପାର ବନ୍ଦ କରିବା ଲାଗି ତତ୍କାଳୀନ ପୁଲିସ ଡିଜି ଆର. ପି ଶର୍ମା ୨୦୧୮ ଜାନୁଆରୀରେ ସବୁ ଜିଲ୍ଲା ଏସ୍ପି, ଟୁଇନ୍ ସିଟି ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଦୁଇ ବର୍ଷ ବିତି ଯାଇଥିଲେ ବି ତମାଖୁ ମୁକ୍ତ କ୍ୟାମ୍ପସ ଯୋଜନା ଫେଲ୍ ମାରିଛି। ତମାଖୁ ମୁକ୍ତ କ୍ୟାମ୍ପସ୍ ଗଢି ତୋଳିବା ନେଇ ଶିକ୍ଷା ବିଭାଗର ନିର୍ଦ୍ଦେଶ ସ୍ବାସ୍ଥ୍ୟ ବିଭାଗର ସୁପାରିସ ବି କାମ କରୁନି।

04/02/2020

Leave a Reply

Your email address will not be published. Required fields are marked *

Comments