Bikash Khabar
ବିଷ ବଳୟରେ ଝାରସୁଗୁଡ଼ା, ଦିଲ୍ଲୀ ଠାରୁ ଆହୁରି ବେଶୀ ମାରାତ୍ମକ ବାୟୁ

ସଂପ୍ରତି ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସର୍ବତ୍ର ଚର୍ଚ୍ଚା ଯୋର ଧରିଥିବା ବେଳେ ପ୍ରକାରାନ୍ତରେ ଝାରସୁଗୁଡ଼ାର ପ୍ରଦୂଷଣ କଥାକୁ ଅଣଦେଖା କରାଯାଉଥିବା ପ୍ରାୟ ସମସ୍ତେ ଅନୁଭବ କରିଥିବେ। ଝାରସୁଗୁଡ଼ା ଏକ ଛୋଟ ସହର ହୋଇଥିବା ବେଳେ ପ୍ରଦୂଷଣର ମାତ୍ରା ଏଠାରେ ବଢ଼ୁଥିବାରୁ ଏହା ବହୁ ପରିବେଶବିତ୍ଙ୍କୁ ଚିନ୍ତାଗ୍ରସ୍ତ କରିଛି। ଏହି ପ୍ରଦୂଷଣ କେବଳ ଯେ ଝାରସୁଗୁଡ଼ା ପାଇଁ ବିପଦ ତାହା ନୁହେଁ ଏହା ସାରା ସମାଜ ପାଇଁ ବିପଦ ଆଣିପାରେ ବୋଲି ବହୁ ସ୍ବେଚ୍ଛାସେବୀ ସର୍ଭେ ସଂସ୍ଥା ଅନେକ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ାର ନାମ ଥିବା ମଧ୍ୟ ପ୍ରକାଶ ପାଇ ସାରିଛି। ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗ୍ରୀନ୍ପିସ୍ ସର୍ଭେ ସଂସ୍ଥା ୱେଟଲାଣ୍ଡ ଇଣ୍ଟର ନେସ୍ନାଲ ସାଉଥ-ଏସିଆ’ (ୱାଇଜା) ରିପୋର୍ଟ ଅନୁଯାୟୀ ଦେଶର ଯେଉଁ କେତେକ ସ୍ଥାନରେ ମାରାତ୍ମକ ସଲଫର୍ ଡାଇ ଅକ୍ସାଇଡ଼୍ ନିର୍ଗମନକାରୀ ଶିଳ୍ପସଂସ୍ଥା ରହିଛି ସେଥି ମଧ୍ୟରେ ଝାରସୁଗୁଡ଼ାର ନାମ ରହିଛି। ଏଥି ସହିତ ନିକଟରେ ବୋହି ଯାଇଥିବା ହୀରାକୁଦ ଜଳ ଭଣ୍ଡାରରେ ଫିକାଲ କୋଲିଫର୍ମ ଏବଂ ଟୋଟାଲ କୋଲିଫର୍ମ ଜୀବାଣୁ ସହ ଉକ୍ତ ପାଣିରେ ଫ୍ଲୋରାଇଡ଼୍ର ମାତ୍ରା ବିପଦ ସଂକୁଳ ଅବସ୍ଥାରେ ଥିବା ଉଲ୍ଲେଖ କରାଯାଇଛି। ଝାରସୁଗୁଡ଼ା, ବ୍ରଜରାଜନଗର ବେଲପାହାଡ଼ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳକୁ ଏବେ ପ୍ରଦୂଷଣ ଗ୍ରାସ କରିଛି। ଜିଲ୍ଲାରେ ବ୍ୟାପକ କୋଇଲା ଖଣି ଥିବାରୁ କୋଇଲା ଉତ୍ତୋଳନ ପରିବହନ ପ୍ରଦୂଷଣର ଅନ୍ୟ ଏକ କାରଣ ହୋଇଥିବା ବେଳେ ଖଣି ସଂପ୍ରସାରଣ ଯୋଗୁଁ ପରିବେଶ ଧ୍ବସଂ ପାଉଛି। ବାୟୁ ମଣ୍ଡଳ ସହିତ ବିଭିନ୍ନ ଜଳ ଭଣ୍ଡାର ପ୍ରଦୂଷଣର ଶିକାର ହୋଇଛି। ପ୍ରାତଃରୁ ବାୟୁ ମଣ୍ଡଳରେ ଘନ ଧୁଆଁଳିଆ ରହୁଥିବା ବେଳେ ଏହା ଦିନ ସାରା ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି। ଝାରସୁଗୁଡ଼ା-ସମ୍ବଳପୁର ପରିସୀମାରେ ଭୂଷଣ ଷ୍ଟିଲ, ବେଦାନ୍ତ ଆଲୁମିନା, ଆଦିତ୍ୟ ଆଲୁମିନା, ଏସ୍ଏମ୍ସି ଭଳି ଶ୍ରେଣୀର ଶିଳ୍ପ କାରଖାନା ରହିଛି। ଜିଲ୍ଲାର ଲଖନପୁର ବ୍ଲକରେ ଟିଆର୍ଏଲ୍, ଓପିଜିସି କାରଖାନା ଥିବା ବେଳେ ଝାରସୁଗୁଡ଼ା ସୀମାକୁ ଲାଗି ଏନ୍ଟିପିସିର ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି। ଏବେ ଝାରସୁଗୁଡ଼ା-ସମ୍ବଲପୁର ସୀମାରେ ଆଉ ଏକ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କାରଖାନା ଲୌହ କାରଖାନା ଗୁଡ଼ିକରେ ଦୈନିକ ହଜାର ହଜାର ଟନ୍ କୋଇଲା ଦହନ ହେବା ଫଳରେ ଏଥିରୁ ସଲଫର୍ ଡାଇ ଅକ୍ସାଇଡ଼୍, ନାଇଟ୍ରୋଜେନ୍ ଅକ୍ସାଇଡ଼୍, କାର୍ବନ ମୋନକ୍ସାଇଡ଼ ଭଳି ମାରାତ୍ମକ ଗ୍ୟାସ ରସାୟନିକ ଦ୍ରବ୍ୟ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶୁଛି। ଏହା ସହିତ ଏହି କାରଖାନା ମାନଙ୍କ ମଧ୍ୟରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଏଆସ ଉତ୍ପନ୍ନ ହୋଇ ଏହି ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ମୁଖ୍ୟ କାରଣ ପାଲଟିଛି। ଜିଲ୍ଲାର ବିଭିନ୍ନ ଜଳାଶୟ ମଧ୍ୟ ପ୍ରଦୂଷଣ ହେଉଥିବା ଯୋଗୁଁ ବହୁ ସମୟରେ ମାଛ ମଡ଼କ ଘଟଣା ସହିତ ବିଭିନ୍ନ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଚାଷଜମି ପୋଡ଼ିଯାଇ ଲକ୍ଷାଧିକ ଟଙ୍କାର ଫସଲ କ୍ଷତି ହେଉଥିବା ଭଳି ଘଟଣା ଅତୀତରେ ଅନେକ ଥର ଘଟିଛି। ଶିଳ୍ପାୟନ ସହିତ ଖଣି ସଂପ୍ରସାରଣ ଜିଲ୍ଲାରେ ଜଙ୍ଗଲ ସମ୍ପଦକୁ ମଧ୍ୟ ପ୍ରଭାବିତ କରୁଥିବା ଜଣାଯାଇଛି। ଜିଲ୍ଲାର ଭୌଗଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏଠାରେ ପ୍ରାକୃତିକ ପରିବେଶରେ ଭାରସାମ୍ୟ ରକ୍ଷା ପାଇଁ ୩୫ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ଥିବା ବେଳେ ଏବେ ଖଣିଖାଦାନ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ପ୍ରାକୃତିକ ଜଙ୍ଗଲ କ୍ରମଶଃ ଧ୍ବସଂ ପାଇ ଏହା ୧୪. ପ୍ରତିଶତକୁ ତଳକୁ ଖସି ଆସିଥିବା ଜଣାଯାଇଛି। ଜିଲ୍ଲାର ବହୁ ଚାଷୀ ଜଙ୍ଗଲ ନିକଟରେ ରହୁଥିବା ଅଧିବାସୀଙ୍କ କହିବାନୁଯାୟୀ ଜିଲ୍ଲାରେ ପ୍ରଦୂଷଣଜନିତ କାରଣ ଯୋଗୁଁ ଜଙ୍ଗଲ ଗୁଡ଼ିକରେ ପୂର୍ବରୁ ହେଉଥିବା ବିରଳ ଉଦ୍ଭିଦ ସହିତ ବିଭିନ୍ନ ଔଷଧୀୟ ଗୁଳ୍ମ ଯଥା ଛତାବରୀ, ପାନ୍ଅଏରି, ରାଧାକୃଷ୍ଣ, ଅପାମାର୍ଗ, ଗୁଞ୍ଜ, ଗୁଳୁଚି ଲହ, ଚପ୍କୋଲୋଠୋ, ବାସଙ୍ଗ, ଚିରୋମାରୋ ପ୍ରଭୃତି ସଂପୂର୍ଣ୍ଣ ବିଲୋପ ହୋଇଯାଇଛି। ଏଠାରେ ଥିବା ହରିଡ଼ା, ତେନ୍ତୁଳି ଭଳି ବୃକ୍ଷରୁ ଫଳ ଧାରଣ କ୍ଷମତା ମଧ୍ୟ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ପ୍ରଦୂଷଣ ପ୍ରଭାବରେ ଘରଚଟିଆ ଭଳି ଚଢ଼େଇ ସଂପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ କାଉ, ଚିଲ, ରାବଣ ପ୍ରଜାତିର ପକ୍ଷୀ ମଧ୍ୟ ବିଲୁପ୍ତ ହୋଇ ଯାଇଛନ୍ତି। ଜିଲ୍ଲାରୁ ଦୈନିକ ୨୫ ହଜାର ଟନ୍ ପାଉଁଶ ନିର୍ଗତ ହେଉଛି। ଆଞ୍ଚଳିକ ପ୍ରଦୂଷଣ ବୋର୍ଡ଼ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବେଦାନ୍ତ କାରଖାନାରୁ ଦୈନିକ ୨୨ ହଜାର ଟନ୍ ଏବଂ ଓପିଜିସିରୁ ହଜାର ଶହ ଟନ୍ ପାଉଁଶ ନିର୍ଗତ ହୁଏ। ବାୟୁ ମଣ୍ଡଳରେ ବିଷାକ୍ତ ପାଉଁଶ ଗୁଣ୍ଡ ସବୁଜ ବୃକ୍ଷଲତା ସହିତ ଉର୍ବର ଚାଷଜମି, ଭୁଗର୍ଭ ଜଳ ଏବଂ ମୁକ୍ତବାୟୁକୁ ପ୍ରଭାବିତ କରିଛି। ମହାନଦୀର ଶାଖା ନଦୀ ଭେଡ଼େନ ଇବ୍ର ଜଳ ପ୍ରଦୂଷିତ ହୋଇ ସିଧାସଳଖ ଭାବରେ ହୀରାକୁଦ ଜଳଭଣ୍ଡାରର ଗଭୀର ଜଳରାଶିକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। ଜିଲ୍ଲାରେ ବାସ୍ତବରେ ଶିଳ୍ପ ଜନିତ ପ୍ରଦୂଷଣର ପ୍ରଭାବ ବହନ କରିବାର କ୍ଷମତା କେତେ ତାର ପ୍ରକୃତ ମୂଲ୍ୟାୟନ ହେବା ଆବଶ୍ୟକତା ରହିଛି। ବିଭିନ୍ନ କାରଖାନା ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନଥିବାରୁ ପ୍ରଶାସନ, କମ୍ପାନୀ ସାଧାରଣ ଜନତାଙ୍କ ମଧ୍ୟରେ ପରସ୍ପର ପ୍ରତି ସଂଦେହ ସୃଷ୍ଟି ପାଉଛି। ପରିବେଶ ବୈଜ୍ଞାନିକଙ୍କ ମତରେ ବାୟୁମଣ୍ଡଳରେ ଭାସୁଥିବା ବିଷାକ୍ତ କଣିକା ଯେତେ ଛୋଟ ତାହା ସ୍ବାସ୍ଥ୍ୟ ପାଇଁ ସେତେ ବିପଦ, ଏଠାରେ ବାୟୁମଣ୍ଡଳରେ ଉଡ଼ନ୍ତା ପାଉଁଶ ବେଶୀ ମାତ୍ରାରେ ଥିବା ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟରେ ଦୃତ ଅବନତି ହେବା ସହିତ ଶ୍ବାସ ହୃଦୟ ଜନିତ ରୋଗ ବଢ଼ୁଥିବା ମଧ୍ୟ ଅନୁମାନ କରାଯାଉଛି। ଦିଲ୍ଲୀରେ ପ୍ରଦୂଷଣ ହେଉ କି ଝାରସୁଗୁଡ଼ାରେ ପ୍ରଦୂଷଣ ହେଉ ଏହାଯେ କେବଳ ସେହି ଅଞ୍ଚଳ ପାଇଁ ଚିନ୍ତାର କାରଣ ନୁହେଁ ଏହା ସାରା ବିଶ୍ବପାଇଁ ଏକ ସତର୍କ ଘଣ୍ଟି ଭଳି ଚେତାଇ ଦେଉଛି। ଏନେଇ ଅଧିକ ସଚେତନ ହେବାର ସମୟ ଆସିଛି ବୋଲି ବହୁ ପରିବେଶବିତ ମତବ୍ୟକ୍ତ କରିଛନ୍ତି।

06/11/2019

Leave a Reply

Your email address will not be published. Required fields are marked *

Comments