Bikash Khabar
ଗରିବଙ୍କୁ ଆହାର ଲାଗି ଜମି ବିକିଲେ

କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ପରେ କାମଧନ୍ଦା ହରାଇ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକ ଅନାହାର ଓ ଅର୍ଦ୍ଧାହାର ରହୁଛନ୍ତି। ଏଭଳି ସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି କର୍ନାଟକର ଦୁଇ ବ୍ୟବସାୟୀ। ତଜାମ୍ମୁୁଲ ପାସା ଓ ମୁଜାମ୍ମିଲ ପାସା ସମ୍ପର୍କରେ ଦୁଇ ଭାଇ ହୋଇଥିବା ବେଳେ ରାଜ୍ୟରେ ଗରିବ ଲୋକଙ୍କୁ ସହାୟତା କରିବା ଲାଗି ନିଜ ଜମିକୁ ବିକ୍ରି କରିବାକୁ ପଛାଇ ନାହାନ୍ତି। କୋଲାର ଜିଲାରେ ଥିବା ଜମିକୁ ସେମାନେ ୨୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଟଙ୍କାରେ ସେମାନେ ଗରିବଙ୍କ ଲାଗି ଚାଉଳ, ଗହମ, ଚିନି, ଡାଲି, ତେଲ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଯୋଗାଉଛନ୍ତି। ନିଜ ଘର ପାଖରେ ଏକ ଟେଣ୍ଟକରି ରୋଷେଇ ଲାଗି ବ୍ୟବସ୍ଥା କରିଛନ୍ତି। ଗରିବ, ଅନାଥ, ଶ୍ରମିକ, ନିରାଶ୍ରୟଙ୍କୁ ଏଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ପିଲାବେଳୁ ଏହି ଦୁଇଭାଇଙ୍କ ବାପା-ମା’ ଆରପାରିକୁ ଚାଲିଯାଇଥିଲେ। ପିଲାଦିନ ଅଜାଆଈ ରହୁଥିବା କୋଲାରରେ ରହି ସେମାନେ ବଡ଼ ହୋଇଛନ୍ତି। ଗରିବୀକୁ ଅତି ନିକଟରୁ ସେମାନେ ଦେଖିଛନ୍ତି। ବିଭିନ୍ନ ଧର୍ମ, ଜାତିର ଲୋକ ଏଥିଲାଗି ସେମାନଙ୍କୁ ସହଯୋଗ କରିଆସିଛନ୍ତି ବୋଲି କହିଛନ୍ତି ତଜାମ୍ମୁୁଲ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ମୁହଁରେ ଟିକେ ହସ ଦେଖିବାକୁ ସେମାନେ ପ୍ରୟାସ କରିଥିବା କହିଛନ୍ତି ସେ। ଏଠାକାର ଲୋକମାନଙ୍କ ଲାଗି କେବଳ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଉନି, ବରଂ ସାନିଟାଇଜର, ମାସ୍କ ଆଦି ମଧ୍ୟ ଯୋଗାଇ ଦିଆଯାଇଥିବା ତଜାମ୍ମୁୁଲ ପ୍ରକାଶ କରିଛନ୍ତି। ୩ ହଜାର ଗରିବଙ୍କ ଲାଗି ସମସ୍ତ ସହଯୋଗ କରାଯାଉଛି ଓ କୋଲାର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିବା ସେ କହିଛନ୍ତି। ଜଣେ ବନ୍ଧୁଙ୍କ ସହ ଜମିବିକ୍ରି ନେଇ ବଣ୍ଡ୍‌ ସାଇନ୍‌ ସରିଛି ଓ ଲକ୍‌ଡାଉନ୍‌ ପରେ ବାକିଥିବା କାମ ଶେଷ କରାଯିବ ବୋଲି ସେ କହିଛନ୍ତି।

27/04/2020

Leave a Reply

Your email address will not be published. Required fields are marked *

Comments