Bikash Khabar
ବାଲେଶ୍ୱରର କୁନି ବୈଜ୍ଞାନିକ,ତିଆରି କଲେ କୃଷି ଯନ୍ତ୍ରପାତି

 କୁନି ହାତରେ ବଡ଼ ଉଦ୍ଭାବନ। କୃଷକଙ୍କ କଷ୍ଟ ଦୂର କରିବାକୁ ତିଆରି କଲେ କୃଷି ଯନ୍ତ୍ରପାତି। ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ଯନ୍ତ୍ରପାତି ଏକା ସାଙ୍ଗରେ ୬ଟି ଚାଷ କାମ କରିପାରିବ। ଚାଷୀଙ୍କ ପରିଶ୍ରମକୁ ହାଲକା କରିବାକୁ ଏଭଳି ଏକ ଯନ୍ତ୍ର ନିର୍ମାଣ କରିଛନ୍ତି ସପ୍ତମ ଶ୍ରେଣୀର ଛାତ୍ର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଗାଁର ୧୨ବର୍ଷର କୁନି ପୁଅ ବିପ୍ଳବ ଘୋଷ୍ ଚାଷୀଙ୍କ ସୁବିଧା ପାଇଁ ଏମିତି ଏକ ଭିନ୍ନ ଯନ୍ତ୍ର ତିଆରି କରି ଏବେ ସାରା ବସ୍ତା ଅଞ୍ଚଳରେ କୁନି ବୈଜ୍ଞାନିକ ଭାବେ ଚର୍ଚ୍ଚିତ ହୋଇଛନ୍ତି। ତେବେ ବିପ୍ଳବ କରିଥିବା ଏହି ଯନ୍ତ୍ର ସାହାଯ୍ୟରେ ଅଳ୍ପ ସମୟରେ ଅନେକ ଚାଷ କାମ କରିହେବ। ମେସିନ ସାହାଯ୍ୟରେ ଏକାସାଙ୍ଗରେ ବିଲରେ ହଳ କରିହେବ, ବିହନ ବୁଣିହେବ, ଆଉ ମହି ଦେଇହେବ। ଏଥି ସହ ବିଲରେ ପାଣି ସିଞ୍ଚନ ସହ କୀଟନାଶକ ସାର ପ୍ରୟୋଗ ବି କରିହେବ। ଏହି ମେସିନ ମଜୁରୀ କମ ଖର୍ଚ୍ଚ କରିବ ବୋଲି ବିପ୍ଳବ କହିଛନ୍ତି।ସବୁଠାରୁ ବଡ଼ କଥା ହେଉଛି ନିଜ ବିଲରେ ନିଜ ବାପାଙ୍କ କଷ୍ଟ ଦେଖି ପୁଅ ବିପ୍ଳବ ଏଭଳି ଏକ ଯନ୍ତ୍ର ତିଆରି କରିବାକୁ ମନସ୍ଥ କରିଥିଲେ। ଆଉ ଶିକ୍ଷକଙ୍କ ସହାୟତାରେ ଶେଷରେ ସେ ମେସିନ ତିଆରି କରିପାରିଛନ୍ତି। ତେବେ ଏହି ମେସିନ ପ୍ରଦର୍ଶନ କରି ବିପ୍ଳବ ରାଜ୍ୟ ସ୍ତରରୁ, ଜାତୀୟ ସ୍ତରରେ ମଧ୍ୟ ପୁରସ୍କାର ପାଇଛନ୍ତି। ଆଗାମୀ ମାସରେ ନିଜ ପ୍ରୋଜେକ୍ଟକୁ ଦିଲ୍ଲୀରେ ପ୍ରଦର୍ଶିତ କରିବାକୁ ଥିବା ବେଳେ ରାଷ୍ଟ୍ରପତିଙ୍କ ସହ ଟି-ପାର୍ଟିରେ ଯୋଗଦେବେ ବିପ୍ଲବ। ସେପଟେ ଆଜିର ଯୁବ ସମାଜ ଚାଷ ପ୍ରତି ଇଚ୍ଛା ପ୍ରକାଶ କରୁ ନଥିବା ବେଳେ ପାଠ ପଢି କୃଷି ବୈଜ୍ଞାନିକ ହେବାକୁ ବିପ୍ଳବ ଲକ୍ଷ୍ୟ ରଖିଥିବା କହିଛନ୍ତି।

31/01/2020

Leave a Reply

Your email address will not be published. Required fields are marked *

Comments