Bikash Khabar
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚଳାଇଛନ୍ତି ୨୬୦୦ ବିଦ୍ୟାଳୟ

 ମାସେ କି ଦୁଇମାସ ନୁହେଁ, ବର୍ଷ ବର୍ଷ ଧରି ପ୍ରଧାନଶିକ୍ଷକ ପଦବି ଖାଲି ପଡିଥିବା ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଶୂନ୍ୟକାଳରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଭାରପ୍ରାପ୍ତ ପ୍ରଧାନଶିକ୍ଷକରେ ୨୬୦୦ରୁ ଅଧିକ ସ୍କୁଲ ଚାଲିଛି। ଏମିତି ଅବସ୍ଥାରେ ଶିକ୍ଷାର ବିକାଶ କେମିତି ହେବ? ଶ୍ରୀ ଶତପଥୀ କହିଥିଲେ ଯେ ରାଜ୍ୟରେ ମୋଟ ୮୦୭୬ଟି ଉଚ୍ଚ ବିଦ୍ୟାଳୟ ରହିଛି। ହେଲେ ଏଥିରୁ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ପଦବି ଖାଲି ରହିଛି। ୨୦୧୮ ଅକ୍ଟୋବରରୁ କୋର୍ଟରେ ମକଦ୍ଦମା କାରଣରୁ ଏହି ପଦବି ପୂରଣ ହୋଇପାରୁନାହିଁ। କିନ୍ତୁ ରାଜ୍ୟରେ ଆଇନ ବିଭାଗ ରହିଛି, ଆଡଭୋକେଟ୍ ଜେନେରାଲ ରହିଛନ୍ତି, ଗଣଶିକ୍ଷା ବିଭାଗ ଥିବା ବେଳେ ଏହି ମାମଲା ଉଠାଇବା ପାଇଁ ସରକାର କି ଯୋଜନା କରିଛନ୍ତି। କାହିଁକି କୋର୍ଟରେ ସ୍ଥଗିତାଦେଶ ଉଠାଇବା ପାଇଁ ଉଦ୍ୟମ ହେଉନାହିଁ। ବାଚସ୍ପତି ସଂକ୍ରାନ୍ତରେ ରୁଲିଂ ଦେବାର ଆବଶ୍ୟକତା ରହିଛି। ଶ୍ରୀ ଶତପଥୀ କହିଥିଲେ ଯେ ଏତେ ଘଣ୍ଟା କାମ କରିବେ, ସେତେଘଣ୍ଟା କାମ କରିବେ ଏମିତି କହିବାର କୌଣସି ମାନେ ନାହିଁ। କାରଣ ଏସବୁ ସ୍କୁଲରେ କାମଚଳା ପ୍ରଧାନଶିକ୍ଷକ ଥିବା କାରଣରୁ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। ସେହିଭଳି ୯୦ଟି ଓଇଏସ୍ ପ୍ରଧାନଶିକ୍ଷକ ନେଇ ମଧ୍ୟ ଶ୍ରୀ ଶତପଥୀ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ମାମଲା କୋର୍ଟରେ ଥିବା କାରଣରୁ ଖୋର୍ଧା ପ୍ରାଣନାଥ କଲେଜ ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପରଚାଳନା କମିଟି ଗଠନ େହାଇ ନପାରିବା ନେଇ ଶ୍ରୀ ଶତପଥୀ ଉଦ୍ବେଗ ପ୍ରକାଶ କରିଥିଲେ। କହିଥିଲେ ଯେ ଯେମିତି ମନେ ହେଉଛି, ସ୍ଥଗିତାଦେଶ ସବୁଦିନ ପାଇଁ ରହିଯିବ। ବିଧାୟକଙ୍କ ଉଦ୍ବେଗ ଲକ୍ଷ୍ୟ ରଖି ବାଚସ୍ପତି ରୁଲିଂ ଦେଇଥିଲେ ଯେ ଆଇନ ମନ୍ତ୍ରୀ ଅନୁଧ୍ୟାନ କରି ତାଙ୍କ ସହିତ ଆଲୋଚନା କରିବା ପରେ ଆବଶ୍ୟକ ନିର୍ଦେଶନାମା ଅବଶ୍ୟ ଜାରି କରାଯିବ।

20/02/2020

Leave a Reply

Your email address will not be published. Required fields are marked *

Comments