Bikash Khabar
କିଲୋ ୬୦ ଛୁଇଁଲା ପିଆଜ

ପୁଣି ପିଆଜ ଦର ବୃଦ୍ଧି ଘଟିଛି। ମଙ୍ଗଳବାର ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି। ଆମଦାନୀରେ କୌଣସି ପ୍ରଭାବ ପ୍ରଭାବ ପଡ଼ିନଥିଲେ ହେଁ ମହାରାଷ୍ଟ୍ର କର୍ଣ୍ଣାଟକରେ ଦର ବୃଦ୍ଧି ଓଡ଼ିଶା ବଜାରକୁ ପ୍ରଭାବିତ କରିଥିବା କୁହାଯାଉଛି। ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସରକାର ରପ୍ତାନି ଉପରେ କଟକଣା ଲଗାଇଥିବା ସତ୍ତ୍ବେ ପିଆଜ ବଜାର ତାତି ହ୍ରାସ ପାଇବା ନାଁ ଧରୁନାହିଁ। ଅମଳ ଋତୁ ଆରମ୍ଭ ହେବାକୁ ଯାଉଥିଲେ ବି ନିକଟ ଭବିଷ୍ୟତରେ ପିଆଜ ଦର ହ୍ରାସ ପାଇବା ଆଶା କମ୍ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ନଭେମ୍ବର ମାସ ବେଳକୁ ପିଆଜ ଦର କମିବା ସମ୍ଭାବନା ରହିଛି, ମାତ୍ର ସେହି ସମୟ ପର୍ଯ୍ୟନ୍ତ ପିଆଜ ଦର ଆହୁରି ବଢ଼ିବା କିଛି ଅସମ୍ଭବ ନୁହେଁ ବୋଲି ବ୍ୟବସାୟୀମାନେ ଆକଳନ କରୁଛନ୍ତି। ତେଣୁ ଏବେ ପରିବା ବଜାରର ଆକାଶଛୁଆଁ ଦର ସାଙ୍ଗକୁ ଆଳୁ ପିଆଜ ଦର ବୃଦ୍ଧି ସାଧାରଣ ଗରିବ ପରିବାର ଉପରେ ଚଡ଼କ ପଡ଼ିବା ସଦୃଶ ହୋଇଛି।ଗତ ଦୁଇ ଦିନ ପୂର୍ବେ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ମଧ୍ୟରେ ଥିଲା। କିନ୍ତୁ ହଠାତ୍ ଗତକାଲି ସନ୍ଧ୍ୟାରୁ ପାଇକାରୀ ଦର ୪୨ରୁ ୪୫ ଟଙ୍କାରେ ପହଞ୍ଚି ଯାଇଛି। ରାଜଧାନୀର ମୁଖ୍ୟ ମଣ୍ଡି କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଜି ପିଆଜର ପାଇକାରୀ ଦର ସର୍ବାଧିକ ୪୫ ଟଙ୍କା ରହିଛି। ନାସିକରୁ ଆମଦାନୀ ହେଉଥିବା ବଡ଼ ପିଆଜ ୪୫ ଟଙ୍କା ହୋଇଥିବାବେଳେ ଛୋଟ ପିଆଜ କିଲୋ ୪୨ ଟଙ୍କା ହୋଇଛି। ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ପାଇଁ ହଠାତ୍ ଦର ବୃଦ୍ଧି ଘଟିଛି ବୋଲି କୁହାଯାଉଛି। କୁବେରପୁରୀରେ ପାଇକାରୀ ଦର ୪୫ ଟଙ୍କା ଟପିନଥିବାବେଳେ ଖୁଚୁରା ବଜାରରେ କିନ୍ତୁ କିଲୋ ୬୦ ଟଙ୍କା ହୋଇଯାଇଛି। ଆଜି କ୍ୟାପିଟାଲ ହାଟରେ ପିଆଜ ଏହି ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି। ତେଣୁ କିଲୋ ପିଛା ଖୁଚୁରା ବେପାରୀମାନେ ୧୫ ଟଙ୍କାରୁ ଅଧିକ ମୁନାଫା ରଖି ବିକ୍ରି କରୁଛନ୍ତି। କେବଳ ସେତିକି ନୁହେଁ, କୁବେରପୁରୀରେ ଭଲ ମାନର ପିଆଜ ଦରକୁ ନେଇ ଖୁଚୁରା ବେପାରୀମାନେ ନିମ୍ନମାନର ପିଆଜ ଦର ସ୍ଥିର କରନ୍ତି। ବିଶେଷକରି ରାଜଧାନୀର ଅନ୍ୟାନ୍ୟ ଛୋଟ ହାଟ ବା ଗଳିକନ୍ଦି ଦୋକାନ ଗ୍ରାମାଞ୍ଚଳ ଦୋକାନମାନଙ୍କରେ ନିମ୍ନ ମାନର ପିଆଜକୁ ଉଚ୍ଚ ମାନର ପିଆଜ ଦରରେ ବିକିବା ଏକ ସାଧାରଣ ଘଟଣା ହୋଇଆସିଛି। ଖୁଚୁରା ବଜାରରେ ରାଜ୍ୟ ଯୋଗାଣ ବିଭାଗର ଲଗାମ ନଥିବାରୁ ଏଭଳି ସ୍ଥିତି ସବୁ ସମୟରେ ଉପୁଜେ ବୋଲି କାହାକୁ ଅଛପା ନାହିଁ।

 

14/10/2020

Leave a Reply

Your email address will not be published. Required fields are marked *

Comments