Bikash Khabar
ସେଲୁନରେ ୮୦୦ ବହିର ବଡ ଏକ ଲାଇବ୍ରେରୀ କରିଛନ୍ତି ଅଷ୍ଟମ ପଢିଥିବା ହେୟାର ଡ୍ରେସର

 ଅର୍ଥାଭାବରୁ ସେ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ିବାକୁ ସକ୍ଷମ ହୋଇଥିଲେ। ହେଲେ ଏବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେଲୁନ ଭିତରେ ଲାଇବ୍ରେରୀ ଖୋଲି ତାମିଲନାଡୁର ପୋନମାରିଆପ୍ପନ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଶିକ୍ଷା ପ୍ରତି ତାଙ୍କର ଥିବା ଦୁର୍ବଳତା ପାଇଁ ସେ ନିଜ ସେଲୁନ୍ରେ ଲାଇବ୍ରେରୀ ଖୋଲିଛନ୍ତି। ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ହେୟାର ଡ୍ରେସର୍ ୩୮ ବର୍ଷୀୟ ପି. ପୋନମାରିଆପ୍ପନ ପରିବାରର ଗରିବୀ ଯୋଗୁ ଅଷ୍ଟମ ଶ୍ରେଣୀ ଯାଏ ପଢ଼ିବାକୁ ସକ୍ଷମ ହୋଇଥିଲେ। ସେବେଠାରୁ ସେ କାମ କରିବା ଆରମ୍ଭ କରିଛନ୍ତି। ହେଲେ ସେଲୁନ୍ କରି ପେଟ ପୋଷୁଥିବା ପୋନମାରିଆପ୍ପନ ନିଜ ଦୋକାନରେ ୮ଶହରୁ ଅଧିକ ପୁସ୍ତକ ରଖିଛନ୍ତି। ତାଙ୍କ ଦୋକାନକୁ ଆସୁଥିବା ଲୋକମାନେ ଚୁଟି କାଟିବା ସହ ବହି ଗୁଡ଼ିକୁ ମଧ୍ୟ ପଢ଼ିଥାଆନ୍ତି। ଅନେକ ପ୍ରସିଦ୍ଧ ତାମିଲ ଲେଖକଙ୍କର ବହିକୁ ସେ ନିଜର ଛୋଟ ଲାଇବ୍ରେରୀରେ ସାଇତି ରଖିଛନ୍ତି। ଲୋକମାନଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସକୁ ବଞ୍ଚାଇ ରଖିବା ପାଇଁ ସେ ଏଭଳି ନିଆରା ପ୍ରୟାସ କରୁଥିବା କହିଛନ୍ତି। ଏଥିସହ ପୋନମାରିଆପ୍ପନ ତାଙ୍କ ସେଲୁନ କମ ଲାଇବ୍ରେରୀରେ ବହି ପଢ଼ୁଥିବା ଲୋକଙ୍କୁ ଚୁଟି କାଟିବା ସମୟରେ ୩୦% ଡିସକାଉଣ୍ଟ ମଧ୍ୟ ଦେଉଛନ୍ତି।ନିଜେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ମଧ୍ୟ ସେ ଜାଣିଛନ୍ତି ପ୍ରକୃତ ଜ୍ଞାନ ପୁସ୍ତକରୁ ହିଁ ମିଳେ। ଆଉ ଏହି ଚିନ୍ତାଧାରା ନେଇ ସେ ନିଜ ସେଲୁନ୍ ଲାଇବ୍ରେରୀରେ ପୁସ୍ତକ ସଂଖ୍ୟା ବୃଦ୍ଧି କରିଚାଲିଛନ୍ତି କେବଳ ସେଲୁନ୍କୁ ଆସୁଥିବା ଗ୍ରାହକ ନୁହନ୍ତି ଅନେକ ସ୍କୁଲ କଲେଜ ଛାତ୍ରମାନେ ମଧ୍ୟ ଏଠାକୁ ଆସି ବହି ପଢ଼ନ୍ତି। ପୋନମାରିଆପ୍ପନ କହିଛନ୍ତି, ଚୁଟି କାଟିବା ପାଇଁ ଆସୁଥିବା ଗ୍ରାହକ ଅଧିକ ସମୟ ଧରି ଅପେକ୍ଷା କରି ବିରକ୍ତ ହେଉନାହାନ୍ତି ,ବରଂ ପୁସ୍ତକ ପଢ଼ି ଖୁସି ହେଉଛନ୍ତି ବର୍ଷ ତଳେ ୨୫୦ ଖଣ୍ଡ ପୁସ୍ତକରୁ ଆରମ୍ଭ ହୋଇଥିବା ଏହି ସେଲୁନ୍ ଲାଇବ୍ରେରୀରେ ଏବେ ୮୫୦ ଖଣ୍ଡ ବହି ରହିଛି। ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମ୍ମାନିତ ପୁରସ୍କୃତ କରାଯାଇଛି। ଖାଲି ସେତିକି ନୁହେଁ, ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏହି ନିଆରା ଲାଇବ୍ରେରୀକୁ ପୁସ୍ତକ ଦାନ କରିଛନ୍ତି ନିକଟରେ ତୁତିକରନ ସାଂସଦ କାନିମୋଝି ମଧ୍ୟ ଏହି ଲାଇବ୍ରେରୀକୁ ୫୦ ଖଣ୍ଡ ବହି ଦେଇଛନ୍ତି।

01/01/2020

Leave a Reply

Your email address will not be published. Required fields are marked *

Comments