Bikash Khabar
ଆରମ୍ଭ ହେଲା ୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା

ଓଡ଼ିଶାରେ ଜନଗଣନା ୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜନଗଣନା ସମ୍ବନ୍ଧିତ ପ୍ରଶାସନିକ ବୈଷୟିକ ଦିଗ ଉପରେ ଆଲୋଚନା କରିଛନ୍ତି।

ଭାରତ ସରକାରଙ୍କ ଜନଗଣନା ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ବରଦା ପ୍ରସ୍ତାବିତ କାର୍ଯ୍ୟଯୋଜନା ବିଷୟରେ ସୂଚନା ଦେଇଛନ୍ତି। ପ୍ରସ୍ତାବର ବିଭିନ୍ନ ଦିଗକୁ ବିଚାର କରି ଜନଗଣନାକୁ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣନାକୁ ନିର୍ଭୁଲ ଏବଂ ସଦ୍ୟତମ କରିବା ପାଇଁ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଏକ ମୋବାଇଲ୍ଆପ୍ ପ୍ରୟୋଗ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ଏଥର ଜନଗଣନାକୁ ତହସିଲଓ୍ବାରି କରାଯିବ। ପୂର୍ବରୁ ଏହା ଥାନାଓ୍ବାରି କରାଯାଉଥିଲା। ଜିଲା ମାଜିଷ୍ଟ୍ରେଟମାନେ ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟମାନେ ଜିଲା ଜନଗଣନା ଅଧିକାରୀଭାବେ କାର୍ଯ୍ୟ କରିବେ। ସମୁଦାୟ ଗଣନା କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ। ୨ଟି ପର୍ଯ୍ୟାୟର କାର୍ଯ୍ୟକୁ ୨୦୨୧ ମାର୍ଚ୍ଚରେ ଶେଷ କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସ୍ଥାନରେ ଜନଗଣନା କୌଶଳଗୁଡିକର ପରୀକ୍ଷାମୂଳକ ପ୍ରୟୋଗ( ପ୍ରିଟେଷ୍ଟ) କରାଯିବ। କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ, ବଲାଙ୍ଗୀର ଜିଲାର ପୁଇନ୍ତଳା ଏବଂ ଖୋର୍ଦ୍ଧା ଜିଲାର ଭୁବନେଶ୍ବର ମହାନଗର ନିଗମରେ ଏହା ପରୀକ୍ଷାମୂଳକ ଭାବେ କାର୍ଯ୍ୟ କରାଯିବ। ଏହି ପ୍ରିଟେଷ୍ଟ ଚଳିତ ବର୍ଷ ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ମଧ୍ୟରେ ସାରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

09/07/2019

Leave a Reply

Your email address will not be published. Required fields are marked *

Comments