Bikash Khabar
ପଡ଼ି ରହିଛି ୫୫୦ ମେଟ୍ରିକ ଟନ୍ କଫି ମଞ୍ଜି, ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି କ୍ଷୁଦ୍ର ଚାଷୀ

ନାଁ କରି ଆସୁଥିଲା କୋରାପୁଟ କଫି। ସାରା ଭାରତରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରିବାକୁ ପାଗ ଭିଡ଼ିଥିଲା। ହେଲେ ମୁଣ୍ଡ ‌ଟେକିବା ବେଳକୁ ଅଣ୍ଟାରେ ପଡ଼ିଛି କରୋନା ପାହାର। ଫଳରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି କୋରାପୁଟ କଫିର ଭବିଷ୍ୟତ। ଲକ୍‌ଡ‌ାଉନ୍‌ କଟକଣା ପାଇଁ ଜିଲ୍ଲାର କଫି ବାହାରକୁ ରପ୍ତାନି ହୋଇ ପାରୁନି। ଅମଳ ଶେଷ ହୋଇଥିବା ବେଳେ ଏହାକୁ ବିକି ନ ପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କିଛି ଛୋଟ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଅଧା ଦରରେ କଫି ମଞ୍ଜି ଦଲାଲଙ୍କୁ ବିକୁଛନ୍ତି। ଗତ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ କଫି ଅମଳ ହେବ‌ା ପରେ ବିକ୍ରି ପ୍ରକ୍ରିୟା ଆରମ୍ଭ ‌ହୋଇ ଯା‌ଇଥିଲା। ହେଲେ ଏହି ସମୟରେ କରୋନା ପାଇଁ ସାରା ଦେଶରେ ଘୋଷଣା ହେଲା ଲକ୍‌ଡାଉନ୍‌। ଫଳରେ ଆଉ କଫି ବିକ୍ରି ହୋଇ ପାରିଲାନି। ତେଣୁ ଜିଲ୍ଲାରେ ଏବେ ପାଖାପାଖି ୫୫୦ ଟନ୍‌ କଫି ବିକ୍ରି ନ ହୋଇ ପଡ଼ିରହିଛି। କୋରାପୁଟରୁ ଏହି କଫି ମଞ୍ଜି ସାଧାରଣତଃ ଆନ୍ଧ୍ର ଓ କର୍ଣ୍ଣାଟକ ଯାଇଥା‌ଏ। ସେଠାରେ କିନ୍ତୁ ସମସ୍ତ ପ୍ରକ୍ରିୟାକରଣ ୟୁନିଟ ବନ୍ଦ ରହିଥିବାରୁ ସେମାନେ କଫି ନେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ ଜିଲ୍ଲାର କଫି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷକର ପରିଶ୍ରମ ପରେ ଏବେ ଅମଳ ସମୟକୁ କରୋନା ଚଡ଼କ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବଡ଼ ବଡ଼ ଚାଷୀ ୧୫-୨୦ ଲକ୍ଷ ଟଙ୍କାର କଫି ମଞ୍ଜି ପାଖରେ ରଖି ବସିଛନ୍ତି। ଅପରପକ୍ଷରେ ଛୋଟ ଚାଷୀମାନେ ଆଉ ବେଶୀ ଦିନ ଅପେକ୍ଷା କରି ନ ପାରି କମ୍‌ ଦରରେ କଫି ମଞ୍ଜି ବିକ୍ରିକରି ଦେଉଛନ୍ତି। ଲକ୍‌ଡାଉନ୍‌ କଟକଣା କେବେ ଉଠିବ ତାହା ଜଣା ପଡୁ ନ ଥିବାରୁ ସେମାନେ ପାଖାପାଖି ଅଧା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି କଫି ମଞ୍ଜି।ଏପଟେ ଅମଳ ହୋଇଥିବା କଫି ମଞ୍ଜି ରଖିବାରେ ବି ସମସ୍ୟା ହେଲାଣି। ଏ ନେଇ କଫି ଚାଷୀ ସୁଜୟ ପ୍ରଧାନ କୁହନ୍ତି, ବର୍ଷ ସାରା ପରିଶ୍ରମ ପରେ ମାର୍ଚ୍ଚରେ କଫି ଅମଳ ହୋଇଥିଲା। ଏହାକୁ ବିକ୍ରି କରିବା ପାଇଁ ବାଙ୍ଗାଲୁରୁର ପ୍ରକ୍ରିୟାକରଣ ୟୁନିଟ ସହ କଥାବାର୍ତ୍ତା ସରିଥିଲା। ହେଲେ କରୋନା ସବୁ ବିଗାଡ଼ିଦେଲା।

 

29/04/2020

Leave a Reply

Your email address will not be published. Required fields are marked *

Comments