Bikash Khabar
ବହି ବନ୍ଧାଳିରୁ ସମାଜସେବୀ,୧୦ ବର୍ଷରେ କରିଛନ୍ତି ୧୨୦୦ ଶବ ସତ୍କାର

ପେଶା ବହି ବନ୍ଧେଇ। ସେହି ରୋଜଗାରରୁ ୩ପ୍ରାଣୀ କୁଟୁମ୍ବ ଚଳନ୍ତି। ଆଉ ବଳକା ଅର୍ଥକୁ ସଞ୍ଚୟ କରି ଦିନଦରିଦ୍ରଙ୍କ ସହାୟତାରେ ଖର୍ଚ୍ଚ କରନ୍ତି। ଏମିତି ୧୦ବର୍ଷ ହେଲା ନିରନ୍ତରଭାବେ ଅସହାୟ ଗରିବ ଲୋକଙ୍କୁ ନିସ୍ୱାର୍ଥପରଭାବେ ସେବା ଯୋଗାଇ ଚାଲିଛନ୍ତି ଅଭିମନ୍ୟୁ ଦାସ ଏମିତି କଟକ ବଡ଼ ଡାକ୍ତରଖାନା ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରରେ ଅସହାୟ ଲୋକଙ୍କ ଆଶାବାଡି ପାଲଟିଛନ୍ତି ସେ କେବଳ ଅସହାୟ ରୋଗୀ ନୁହନ୍ତି, ଏହି ଦୁଇ ମେଡିକାଲରେ ମୃତ୍ୟୁବରଣ କରୁଥିବା ଅସହାୟ ଲୋକଙ୍କ ଶବ ଦାହ କରିଚାଲିଛନ୍ତି ଅଭିମନ୍ୟୁ। ଏହି ଦୁଇ ଡାକ୍ତରଖାନାରେ କୌଣସି ଅସହାୟ ଅପରିଚିତ ବ୍ୟକ୍ତିର ମୃତ୍ୟୁ ଘଟିଲେ ପ୍ରଥମେ ଖୋଜାପଡନ୍ତିି ସେ। ୧୦ବର୍ଷ ହେଲା ଅସହାୟଙ୍କ ଶବ ଦାହ କରିଚାଲିଛନ୍ତି। ୧୦ବର୍ଷରେ ୧୨୦୦ରୁ ଊର୍ଦ୍ଧ୍ବ ଶବଦାହ କରିସାରିଥିବା ଏହି ନିଆରା ସମାଜସେବୀ ଏବେ କଟକ ଏକ ଚର୍ଚିତ ଚେହେରା ଅଭିମନ୍ୟୁ ଦାସ। ଘର ମଧୁପାଟଣା ଥାନା ଅନ୍ତର୍ଗତ ନେତାଜୀ ନଗରରେ। ପତ୍ନୀ ନିରୂପମା ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ପେଶାରେ ସେ ଜଣେ ବହି ବନ୍ଧାଳି ବିକ୍ରେତା। ନିଶା କିନ୍ତୁ ତାଙ୍କର ଗରିବ ଅସହାୟ ଲୋକଙ୍କୁ ସହାୟତା କରିବା। କେବଳ ଶବ ସତ୍କାର ନୁହେଁ, ୨୦୦୨ରୁ ଦୀର୍ଘ ୧୭ବର୍ଷ ହେଲା ସେ କଟକ ବଡ଼ ଡାକ୍ତରଖାନା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଗରିବ ରୋଗୀଙ୍କୁ ସହାୟତା କରିଆସୁଛନ୍ତି। କାହାର ଔଷଧ କିଣିବାକୁ ଟଙ୍କା ନାହିଁ କାହାର ଖାଇବାକୁ ପଇସା ନାହିଁ, ସେହି ଗରିବ ରୋଗୀଙ୍କ ନିକଟରେ ପହଞ୍ଚିଯାନ୍ତି ଅଭିମନ୍ୟୁ। ନିସ୍ୱାର୍ଥପରଭାବେ ସେବା ଯୋଗାଇ ଦିଅନ୍ତି ସେମାନଙ୍କୁ। କାହାକୁ ପଇସା ଦିଅନ୍ତି ଔଷଧ କିଣିବାକୁ କାହାର ୱାର୍ଡରେ ରହି ସେବା ଶୁଶ୍ରୁଷା କରନ୍ତି।ପୁଲିସ ହେଉକି ପ୍ରଶାସନ। ସମସ୍ତେ ସହାୟତା ନିଅନ୍ତି ତାଙ୍କର। ଖବର ପାଇବା କ୍ଷଣି ସବୁ କାମକୁ ପଛକୁ କରି ଛୁଟିଆସନ୍ତି ଡାକ୍ତରଖାନା। ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ପହଞ୍ଚି ଶବକୁ ନିଜର କରି ନିଅନ୍ତି ସେ। କେମିତି ଶବ ଯିବ ଶ୍ମଶାନକୁ। ଶ୍ମଶାନରେ କିପରି ହେବ ସତ୍କାର। ସଙ୍ଗେ ସଙ୍ଗେ ସେ ବ୍ୟବସ୍ଥା କରନ୍ତି ଅଭିମନ୍ୟୁ। ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ସେ ଶବ ସତ୍କାର କରନ୍ତି। ପକେଟରେ ଟଙ୍କା ନଥିଲେ ବି ସେ ବିଚଳିତ ହୁଅନ୍ତି ନାହିଁ। ପୁଅ କିମ୍ବା ପତ୍ନୀର ସଞ୍ଚିତ ଅର୍ଥ ବି ଆଣିବାରେ କୃପଣତା ଦେଖାନ୍ତି ନାହିଁ। ଯଦି ସେଥିରେ ନିଅଣ୍ଟ ପଡିଲା, ତେବେ ସାଙ୍ଗସାଥୀଙ୍କୁ ମାଗି ଆଣି ଶବସତ୍କାର କରନ୍ତି। ଦିନ ହେଉକି ରାତି, ଶବ ଦାହ ପାଇଁ ସେ ଘଣ୍ଟା ଦେଖନ୍ତିନି। କେମିତି ସତ୍କାର ହେବ ସେହି ଚିନ୍ତା ତାଙ୍କର।

18/12/2019

Leave a Reply

Your email address will not be published. Required fields are marked *

Comments