Bikash Khabar
ସୋନପୁର ର ଯୁବକ ଏବେ ଡେ଼ନମାର୍କ ରେ ବୈଜ୍ଞାନିକ

 ମନରେ ଅଦମ୍ୟ ଇଚ୍ଛା ଶକ୍ତି ଥିଲା, ଦିନେ ନା ଦିନେ ସେ ବୈଜ୍ଞାନିକ ହେବେ। ବିଦ୍ୟାଳୟରେ ପଢ଼ିବା ସମୟରୁ ଜାରି ରଖିଥିଲେ ପ୍ରୟାସ। ଆଉ ତାଙ୍କର ଏହି ପ୍ରୟାସ ସଫଳ ହୋଇଛି। ସୋନପୁର ଆମ୍ବେଦକର ଛକର ଆନନ୍ଦ ବାରିକ ଏବଂ ଶିବାନୀଙ୍କ ପୁଅ ଶୁଭାଶିଷଙ୍କ ସ୍ବପ୍ନ ସାକାର ହୋଇଛି। ଯୁବ ବିଜ୍ଞାନୀ ଶୁଭାଶିଷ ଡେନମାର୍କ ଯିବାକୁ ସ୍ବୀକୃତି ପାଇଛନ୍ତି। ଶୁଭାଶିଷ ତରଭା ଜବାହର ବୋଦୟ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତି ପରେ ଭୁବନେଶ୍ବର ବିଜେବି କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ଖ୍ରୀଷ୍ଟ ବିଶ୍ବବିଦ୍ୟାଳୟ ବେଙ୍ଗାଲୁରୁରେ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ ପରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୋପାର, ପଞ୍ଜାବରୁ ମାଷ୍ଟର ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଏଣ୍ଡ ରିସାର୍ଚ୍ଚ କଲକତାରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ପିଏଚ୍ଡି ପାଇଁ ସେ ମନୋନୀତ ହୋଇଥିଲେ। ବର୍ତ୍ତମାନ ସେ ଡିପାର୍ଟମେଣ୍ଟ ଅଫ ଫିଜିକ୍ସ, ଡେନମାର୍କ ଟେକନିକାଲ ୟୁନିଭରସିଟି, କୋପେନ୍ହେଗନରେ ଜଣେ କନିଷ୍ଠ ବୈଜ୍ଞାନିକ ଭାବରେ ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ପରିବାର ସଦସ୍ୟଙ୍କ ସହଯୋଗ, ଶିକ୍ଷକମାନଙ୍କ ପ୍ରେରଣା ସାଙ୍ଗକୁ ସହପାଠୀ ବନ୍ଧୁମାନଙ୍କ ଅକୁଣ୍ଠ ସମର୍ଥନ ସହଯୋଗ ହିଁ ଏହି ସଫଳତାର ଶ୍ରେୟ ବୋଲି ଶୁଭାଶିଷ କହିଛନ୍ତି। ସୋନପୁର ଭଳି ଏକ ଛୋଟ ସହରରୁ ଡେନମାର୍କ ଯିବା ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଥିପାଇଁ ତାଙ୍କୁ ଭୀମ ରାଓ କ୍ଲବ୍, ଭୀମ ଆର୍ମି ଏବଂ ରବିଦାସ କ୍ଲବ୍ପକ୍ଷରୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି।

12/07/2020

Leave a Reply

Your email address will not be published. Required fields are marked *

Comments