Bikash Khabar
ଗଞ୍ଜାମ ବେଳାଭୂମି ରଚିଲା ରେକର୍ଡ଼, ୬ ଦିନରେ ଅଣ୍ଡା ଦେଲେ ୪.୨୮ ଲକ୍ଷ ଅଲିଭ ରିଡ଼ଲେ

ବ୍ରହ୍ମପୁର, ଫେବୃଆରୀ ୨୭ : ଗଞ୍ଜାମ ଉପକୂଳରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପର୍ବ ରେକର୍ଡ଼ ରଚିଛି । ୬ ଦିନରେ ମୋଟ ୪ଲକ୍ଷ ୨୮ ହଜାର ୮୩ କଇଁଛ ଅଣ୍ଡାଦାନ କରିଛନ୍ତି । ଯାହାକି ସର୍ବକାଳୀନ ରେକର୍ଡ଼ । ୨୦୧୭ରେ ମୋଟ ୩ ଲକ୍ଷ ୭୦ ହଜାର ୬୩୩ କଇଁଛ ଅଣ୍ଡାଦାନ କରିଥିଲେ । ଏ ବର୍ଷ ଶେଷ ଦିନରେ ୪୦ ହଜାର ୩୧୭ କଇଁଛ ଅଣ୍ଡାଦାନ କରିଛନ୍ତି । ବାଲୁକା ଶର୍ଯ୍ୟାରେ କଇଁଛମାନଙ୍କ ଅଣ୍ଡାଦାନ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବେଳାଭୂମିର ବିଭିନ୍ନ ଯାଗାରେ କଇଁଛମାନେ ଅଣ୍ଡା ଦେଇଥିବାବେଳେ ସେଗୁଡ଼ିକୁ ବୁଲା କୁକୁର ଓ ବିଲୁଆମାନେ ନଷ୍ଟ କରିଦେଇଥାନ୍ତି । ଏହାକୁ ଦୃଷ୍ଟି ଆଗରେ ରଖି ବନବିଭାଗ ପକ୍ଷରୁ ଅଣ୍ଡାଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ଆଣି ରଖାଯାଇଥିବା ବନଖଣ୍ଡ ଅଧିକାରୀ ଆଶିଷ୍ କୁମାର ବେହେରା ସୂଚନା ଦେଇଛନ୍ତି । ଚଳିତ ବର୍ଷ ଗଞ୍ଜାମ ବ୍ଲକର ପୋଡ଼ାମପେଟା ଠାରୁ ଗଟେଶ୍ୱର ପର୍ଯ୍ୟନ୍ତ ଏହି ବିରଳ ପ୍ରଜାତିର କଇଁଛଙ୍କ ଅଣ୍ଡାଦାନ ଦେଖିବାକୁ ମିଳିଥିଲା । 

27/02/2018

Leave a Reply

Your email address will not be published. Required fields are marked *

Comments