Bikash Khabar
ଗ୍ରାମୀଣ ଛାତ୍ରଛାତ୍ରୀ : ଗଣିତରେ ଦୁର୍ବଳ, ଇଂରାଜୀରେ ସଫଳ

 ଭୁବନେଶ୍ୱର, ଜାନୁଆରୀ ୨୭ : ୨୦୦୬ ଠାରୁ ପ୍ରତିବର୍ଷ ପ୍ରକାଶ ପାଇ ଆସୁଥିବା ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେଶନ ରିପୋର୍ଟ (ଆସର) କିଛି ଦିନ ତଳେ ପ୍ରକାଶ ପାଇଛି । ଏଥିରୁ ଜଣାଯାଇଛି ଯେ, ପୂର୍ବବର୍ଷ ଯେତିକି ଛାତ୍ରଛାତ୍ରୀ ଇଂରାଜୀ ବାକ୍ୟ ପଢିପାରୁଥିଲେ ତା ଠାରୁ ଚଳିତ ବର୍ଷ ଅଧିକ ୮ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ବାକ୍ୟ ପଢିପାରୁଛନ୍ତି । କିନ୍ତୁ ଯେପରି ସେପରି ରହିଯାଇଛି ଗଣିତ । ଅଷ୍ଟମ ଶ୍ରେଣୀ ପଢୁଥିବା ୧୪ ବର୍ଷ ବୟସର ୫୩ ପ୍ରତିଶତ ଇଂରାଜୀ ବାକ୍ୟ ପଢିପାରୁଛନ୍ତି । ଗତବର୍ଷ ୪୫ ପ୍ରତିଶତ ଥିଲା । ବର୍ଷେ ଭିତରେ ଇଂରାଜୀ ପଢିବା ସ୍ଥିତିରେ ୮ ପ୍ରତିଶତ ଉନ୍ନତି ହୋଇଥିଲେ ହେଁ ଗଣିତରେ ଅଷ୍ଟମ ଶ୍ରେଣୀର ଛାତ୍ର ତୃତୀୟ ଶ୍ରେଣୀର ପାଠ କରିବାକୁ ଅସମର୍ଥ ହେଉଛି । ଅଷ୍ଟମ ପାସ୍ କରିଥିବା ୪୩ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବେ ହରଣ ଓ ଗୁଣନ ଆସୁନାହିଁ । ଅଷ୍ଟମ ଶ୍ରେଣୀର ୨୪ ପ୍ରତିଶତ ଛାତ୍ରଛାତ୍ରୀ ଠିକ୍ ଭାବେ ଟଙ୍କା ପଇସା ଗଣିପାରୁନାହାଁନ୍ତି । 

ରିପୋର୍ଟ ଅନୁସାରେ ୧୪ରୁ ୧୮ ବର୍ଷ ବୟସର ୨୫ ପ୍ରତିଶତ ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ଲେଖାଯାଇଥିବା ବହି ପଢିବାକୁ ଅସମର୍ଥ ହେଉଛନ୍ତି । ମାତ୍ର ୭୫ ପ୍ରତିଶତ ଯେନତେନ ଭାବରେ ପଢି ପାରୁଥିବା କୁହାଯାଇଛି । ସବୁଠାରୁ କୌତୁହଳର ବିଷୟ ହେଲା ଯେ, ୧୪ ବର୍ଷ ବୟସର ୬୪ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଅଛି କିନ୍ତୁ ସେମାନଙ୍କ ପାଖରେ ଶବ୍ଦକୋଷ ନାହିଁ । ୧୮ ବର୍ଷର ୮୨ ପ୍ରତିଶତ ମୋବାଇଲ ବ୍ୟବହାର କରୁଛନ୍ତି । ୫୯ ପ୍ରତିଶତ ଅଷ୍ଟମ ପାଶ୍ ଛାତ୍ରଛାତ୍ରୀଙ୍କ ପାଖରେ କମ୍ପ୍ୟୁଟର ନାହିଁ ଏବଂ ୬୪ ପ୍ରତିଶତ ଛାତ୍ରଛାତ୍ରୀ ଇଣ୍ଟରନେଟ ବ୍ୟବହାର କରିପାରି ନଥାନ୍ତି । 

27/01/2018

Leave a Reply

Your email address will not be published. Required fields are marked *

Comments