Bikash Khabar
ପରେଡ୍ ଦେଖିବେ ଲାଞ୍ଜିଆ ସଉରା ଦମ୍ପତ୍ତି, ବିମାନରେ ଗଲେ ଦିଲ୍ଲୀ

ପାରଳାଖେମୁଣ୍ଡି, ଜାନୁଆରୀ ୨୫  : ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ହେବ ଚିତାକର୍ଷକ ପରେଡ୍ । ଭିଆଇପି ଗ୍ୟାଲେରିରେ ଏହି ପରେଡ୍ ଦେଖିବା ପାଇଁ ଗଜପତି ଜିଲ୍ଲା ସେରଙ୍ଗ ଅଂଚଳରୁ ଆସି ରାଜଧାନୀ ଦିଲ୍ଲୀରେ ପହଂଚିଛନ୍ତି ଲାଞ୍ଜିଆ ସଉରା ଆଦିବାସୀ ଦମ୍ପତ୍ତି । ଗତବର୍ଷ ଗଣତନ୍ତ୍ର ଦିବସ ପରେଡ୍ ରେ ମାଲକାନଗିରି ଅଂଚଳର ବିପଦସଙ୍କୁଳ ବଣ୍ଡା ଜନଜାତିର ଏକ ଦମ୍ପତ୍ତି ଯୋଗ ଦେଇଥିବା ବେଳେ ଚଳିତ ବର୍ଷ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରୁ ନିମନ୍ତ୍ରିତ ଆଦିବାସୀ ଅତିଥିମାନଙ୍କ ମଧ୍ୟରେ ଲାଞ୍ଜିଆ ସଉରା ଦମ୍ପତ୍ତି ସନିଆ ମଣ୍ଡଳ ଓ ସେବାନୀ ରଇତ ଅଛନ୍ତି ।

ଓଡ଼ିଶାରେ ୧୩ ପ୍ରକାର ବିପଦସଙ୍କୁଳ ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ । ସରକାର ବର୍ଷ ବର୍ଷ ଧରି ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଜରିଆରେ ସେମାନଙ୍କର ଅନେକ ପ୍ରକାର ବିକାଶମୂଳକ କାର୍ଯ୍ୟ କରାଉଛନ୍ତି । ଗଜପତି ଜିଲ୍ଲାରେ ବାସ କରୁଥିବା ଲାଞ୍ଜିଆ ସଉରାମାନଙ୍କ ପରମ୍ପରା ଓ ସଂସ୍କୃତି ଏବେ ଆଉ ପୂର୍ବ ସ୍ଥିତିରେ ନାହିଁ । ଚାଷ  ଓ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରି ଆସୁଥିବା ଏହି ଆଦିମ ଜନଜାତି ଜୀବିକା ପାଇଁ ଏବେ ବି ସଂଘର୍ଷ କରିଆସୁଛନ୍ତି । ସେମାନଙ୍କ ଭାଷା, ପୋଷାକ,ପର୍ବପର୍ବାଣୀ ର ବିଲୁପ୍ତି ଘଟିସାରିଛି । ଏହି ଦମ୍ପତ୍ତି ବହୁ ବର୍ଷ ପରେ ସାଇତି ରଖିଥିବା ପାରମ୍ପରିକ ପୋଷାକ ପିନ୍ଧି ବିମାନଯାତ୍ରା ସହ ଦିଲ୍ଲୀରେ ପହଂଚିଛନ୍ତି ।

25/01/2018

Leave a Reply

Your email address will not be published. Required fields are marked *

Comments