Bikash Khabar
ଯାଜପୁର, ପାଇପ ପାଣି ପାଉଛନ୍ତି ମାତ୍ର ୫ ପ୍ରତିଶତ ବାସିନ୍ଦା

 ଯାଜପୁର, ଜାନୁଆରୀ ୨୯ : ଯାଜପୁର ଜିଲ୍ଲାର ୧୦ଟି ବ୍ଲକରେ ୩,୭୮,୬୪୫ଟି ପରିବାର ବାସ କରନ୍ତି । ଏହି ପରିବାର ଗୁଡ଼ିକର ଜନସଂଖ୍ୟା ୧୭,୩୧,୯୫୦ । ଏମାନଙ୍କ ମଧ୍ୟରୁ ୧୮,୯୦୦ ପରିବାରକୁ ପାଇପ ଦ୍ୱାରା ଜଳ ଯୋଗାଣ କରାଯାଇଛି । ଏଥିରୁ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ଜିଲ୍ଲାର ୯୫ ପ୍ରତିଶତ ପରିବାର ପାଖରେ ବର୍ତ୍ତମାନ ସୁଦ୍ଧା ପାଇପ ଜଳ ଯୋଗାଣ ପହଂଚି ପାରିନାହିଁ । ଜିଲ୍ଲାର ୯୫ ପ୍ରତିଶତ ବାସିନ୍ଦା ଅସୁରକ୍ଷିତ ଉତ୍ସରୁ ପିଇବା ପାଣି ପିଉଥିବାବେଳେ ଯାଜପୁର ବିକାଶର ମିଛ ଚିତ୍ର ଦେଖାଇ ଦିଆହେଉଛି ।

ଜିଲ୍ଲାର ୧୫୬୦ ଟି ଗ୍ରାମରୁ ୪୦୫ ଗ୍ରାମରେ ୨୯୩ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ଏଥିରୁ ୩୦ଟି ପ୍ରକଳ୍ପ ମାସ ମାସ ଧରି ଅଚଳ ହୋଇପଡ଼ିଛି । କୋରେଇ ବ୍ଲକ ମୁୁକୁନ୍ଦପୁର ପଂଚାୟତରେ ୨୦୧୧ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଗଭୀର ନଳକୂପ ଖନନ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମ ସରିପାରିନାହିଁ । ସେହିପରି ଦୀର୍ଘ ୪ ବର୍ଷ ହେଲା ଡ଼ଙ୍କାରି ଗ୍ରାମରେ ପ୍ରକଳ୍ପ କାମ ସରିପାରୁନି । ଯାଜପୁର, ସୁକିନ୍ଦା, ଦାନଗଦି, ବିଂଚାରପୁର ଓ କୋରେଇ ବ୍ଲକରେ ୮ଟି ପ୍ରକଳ୍ପ ମାସ ମାସ ଧରି ଅଚଳ ହୋଇପଡ଼ିଛି । ଆଗକୁ ଖରାଦିନ ଆସୁଥିବାବେଳେ ଅଚଳ ପ୍ରକଳ୍ପର ମରାମତି ଦିଗରେ ଧ୍ୟାନ ନଦେଇ ମିଛ ରିପୋର୍ଟ ଲେଖି ପ୍ରକଳ୍ପ ଠିକ୍ ଚାଲିଥିବା ଦର୍ଶାଉଛି ବିଭାଗ । 

29/01/2018

Leave a Reply

Your email address will not be published. Required fields are marked *

Comments