ଅନୁସୂଚିତ ଜନଜାତିର ଗବେଷକ ଭାବେ ଡକ୍ଟର ମିହିର ଜେନା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିୟମଗିରି ପର୍ବତମାଳାର ମୂଳ ବାସିନ୍ଦା ଡଙ୍ଗରିଆ ଜନଜାତିଙ୍କୁ ନେଇ ତାଙ୍କର ରହିଛି ଏକ ସୁଦୀର୍ଘ ଅନୁଭବ । ଡଙ୍ଗରିଆ ଜନଜାତିଙ୍କୁ ନେଇ ସେ ଲେଖିଛନ୍ତି ଦୁଇଟି ଗବେଷଣା ଲବ୍ଧ ପୁସ୍ତକ । ସଂପ୍ରତି ଶ୍ରୀ ଜେନା ଭୁବନେଶ୍ୱର ସିଆର୍ ପି ଛକ ନିକଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନର ରିସର୍ଚ୍ଚ କନସଲଟାଣ୍ଟ ଭାବେ ନିୟୋଜିତ । ଓଡ଼ିଶାର ୧୩ଟି ବିପଦସଙ୍କୁଳ ଆଦିମ ଜନଜାତିଙ୍କୁ ଅତି ପାଖରୁ ଦେଖିଥିବା ଡକ୍ଟର ଜେନାଙ୍କୁ ଭେଟିଥିଲେ ଆମ ବିକାଶ ଖବରର ପ୍ରତିନିଧି ।
ଜଣେ ଗବେଷକ ଭାବେ ଆପଣ ଓଡ଼ିଶାର ଜନଜାତିଙ୍କୁ ନେଇ କ’ଣ କହିବେ?
ରାଜ୍ୟରେ ୬୨ ପ୍ରକାର ଜନଜାତି ଓ ୧୩ ପ୍ରକାର ବିପଦସଙ୍କୁଳ ଜନଜାତି ବାସ କରନ୍ତି । ପ୍ରତ୍ୟେକଙ୍କ ବିଶ୍ୱାସ, ପରମ୍ପରା, ରୀତିନୀତି ଓ ଚଳଣୀ ଭିନ୍ନ ଭିନ୍ନ । ପ୍ରତ୍ୟେକ ଜନଜାତି ବହୁ କାଳରୁ ନିର୍ଦ୍ଦିଷ୍ଟ ଏକ ଭୌଗଳିକ ଅଂଚଳରେ ସୀମାବଦ୍ଧ ଥିଲେ । ଏବେ ଅବଶ୍ୟ ତାହା ଆଉ ନାହିଁ । ସେମାନଙ୍କ ଭାଷା ଓ ଜୀବିକା ଏ ଦୁଇଟି ଆଜି ବିପର୍ଯ୍ୟସ୍ତ । କେତେକ ଜନଜାତି ଏବେ ବି ବିକାଶ ଠାରୁ ଦୂରରେ । ସେମାନଙ୍କୁ ଆଜିର ମୁଖ୍ୟସ୍ରୋତର ବ୍ୟବସ୍ଥା ଠିକ୍ ରୂପେ ଗ୍ରହଣ କରିପାରିନାହିଁ ।
ମୁଖ୍ୟ ସମସ୍ୟା ଗୁଡ଼ିକ କ’ଣ ?
ଜନଜାତିଙ୍କୁ ନେଇ ସଠିକ୍ ଅଧ୍ୟୟନ ହୋଇପାରିନାହିଁ । ସେମାନଙ୍କ ମୂଲ୍ୟବୋଧ କୁ ସଭ୍ୟ ସମାଜ ବୁଝିପାରୁନାହିଁ । ପରିବେଶୀୟ ଅବକ୍ଷୟ ସେମାନଙ୍କ ଜୀବିକାକୁ ପ୍ରଭାବିତ କରିଛି । ଶିକ୍ଷା ଦୃଷ୍ଟିରୁ ସେମାନେ ପଛରେ ପଡ଼ିଛନ୍ତି । ଅନୁସୂଚିତ ଜନଜାତିର ଜନଗଣ ଏବେ ବି ଗୁରୁତ୍ୱର ଭିତ୍ତିଭୂମିର ସଙ୍କଟକୁ ସାମ୍ନା କରୁଛନ୍ତି ।
ଆଦିବାସୀଙ୍କ ଉନ୍ନତି ପାଇଁ କ’ଣ ସବୁ ଆବଶ୍ୟକ?
ବିଗତ ୫୦ ବର୍ଷ ଧରି ସେମାନଙ୍କ ବିକାଶ ଦିଗରେ ଅଣୁ ଯୋଜନା ପ୍ରସ୍ତୁତ ହେଉଛି । ସ୍ୱତନ୍ତ୍ର ଭାବେ ଆଦିବାସୀ ଉପଯୋଜନା ପ୍ରସ୍ତୁତ କରାଯାଇଛି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ପ୍ରକୃତ ବିକାଶ ଏବେ ବି ଅପହଂଚ ହୋଇରହିଛି । ଆଦିବାସୀ ଅଂଚଳରେ ସଡ଼କ ବିଜୁଳି ପାଣି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ପହଂଚାଇଦିଆଯିବା ଉଚିତ । ଆଦିବାସୀ ଜନସଂଖ୍ୟା ଆଧାରରେ ଉପଯୋଜନା ଅର୍ଥକୁ ଆବଣ୍ଟିତ କରାଯିବା ଅପରିହାର୍ଯ୍ୟ ।
29/01/2018