Bikash Khabar
ପ୍ଲାଷ୍ଟିକ ବ୍ୟବହାର କଲେ ଲାଗିବ ୧୦ ଗୁଣା ଜରିମାନା

ବ୍ରହ୍ମପୁର ମହାନଗର ନିଗମ ନିଷିଦ୍ଧ ହୋଇଥିବା ପ୍ଲାଷ୍ଟିକର ବ୍ୟବହାର ହେଉଥିବା ଦେଖି ଅଧିକ କଠୋର ହୋଇଛି । ଆଗକୁ ନୂଆବର୍ଷ ଆସୁଥିବାରୁ ଏ ସମୟରେ ପ୍ଲାଷ୍ଟିକର ବହୁଳ ବ୍ୟବହାରର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ଓ ପଲିଥିନର ଗଚ୍ଛିତ ଥିବା ଜଣାପଡ଼ିଲେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ସର୍ବାଧିକ ୫ ହଜାର ଟଙ୍କାର ଜରିମାନା ପରିବର୍ତ୍ତେ ୧୦ ଗୁଣା ଅଧିକ ଅର୍ଥାତ ୫୦ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ।

ନିକଟରେ ହୋଇଥିବା ମହାନଗର ନିଗମର ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ବିଏମସିର କମିସନର ଚକ୍ରବର୍ତ୍ତି ସିଂ ରାଠୋର କହିଛନ୍ତି ଯେ ରାଜ୍ୟସରକାର ପ୍ଲାଷ୍ଟିକ ଓ ପଲିଥିନର ଗଚ୍ଛିତ, ଉତ୍ପାଦନ, ପରିବହନ, ବ୍ୟବହାର ଉପରେ ଗତ ଅକ୍ଟୋବର ୨ଠାରୁ ନିଷେଧାଦେଶ ଜାରୀ କରିଥିବା ସତ୍ତେ୍ୱ ଏହାର ପ୍ରଚଳନ ଜାରୀ ରହିଛି । ମହାନଗର ନିଗମ ଅକ୍ଟୋବର ଠାରୁ ଡ଼ିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୫୦୦ କେଜି ପଲିଥିନ ଜବତ ସହ ୧.୮୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଖୋଲାଖୋଲି ପଲିଥିନ ବିକ୍ରୀ ଓ ବ୍ୟବହାର କରୁଥିବା ନଜରକୁ ଆସିବା ପରେ ଜରିମାନା ପରିମାଣ ୧୦ ଗୁଣା ବଢାଯାଇଥିବା ସେ କହିଛନ୍ତି । 
 

26/12/2018

Leave a Reply

Your email address will not be published. Required fields are marked *

Comments