ଉତ୍ସବ ଋତୁରେ ଗ୍ରାହକମାନେ ଅଧିକ ଗାଡ଼ି କିଣିବାରୁ ଗତ ଅକ୍ଟୋବରରେ ସାରା ଦେଶରେ ଗାଡ଼ି ପଞ୍ଜୀକରଣରେ ୫.୧୧ ପ୍ରତିଶତ ବୃଦ୍ଧି ଘଟିଛି। ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଅଧିକ ଗାଡ଼ି ବିକ୍ରି ହୋଇଛି ବୋଲି ଅଟୋମୋବାଇଲ୍ ଡିଲର ସଂଘଗୁଡ଼ିକର ମହାସଂଘ (ଫାଡା) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଫାଡା ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବରରେ ଦେଶରେ୧୪ ଲକ୍ଷ ୧୩ ହଜାର ୫୪୯ଟି ଗାଡ଼ି ବିକ୍ରି ହୋଇଛି। ସେଥି ମଧ୍ୟରୁ ୧୦,୪୧,୬୮୨ଟି ହେଉଛି ଦୁଇଚକିଆ, ୨୨,୩୮୧ଟି ତିନିଚକିଆ, ୪୪,୪୮୦ଟି ବାଣିଜ୍ୟିକ ଯାନ, ୨,୩୯,୮୬୦ଟି କାର୍ ଏବଂ ୫୫,୧୪୬ଟି ଟ୍ରାକ୍ଟର ବିକ୍ରି ହୋଇଛି। କିନ୍ତୁ ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ୨୩.୯୯ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଗତବର୍ଷ ଅକ୍ଟୋବର ମାସରେ ଉଭୟ ନବରାତ୍ରୀ ଏବଂ ଦୀପାବଳି ପର୍ବ ପଡ଼ିଥିଲା। ଏଥର କେବଳ ନବରାତ୍ରୀ ଅକ୍ଟୋବର ମାସରେ ପାଳନ କରାଯାଇଛି। ଗତବର୍ଷ ଅକ୍ଟୋବରରେ ଦେଶରେ ୧୮ ଲକ୍ଷ ୫୯ ହଜାର ୭୦୯ଟି ଗାଡ଼ି ବିକ୍ରି ହୋଇଥିଲା। ସେଥି ମଧ୍ୟରୁ ୧୪, ୨୩,୩୯୪ଟି ଥିଲା ଦୁଇଚକିଆ, ୬୩,୦୪୨ଟି ତିନିଚକିଆ, ୬୩,୮୩୭ଟି ବାଣିଜ୍ୟିକ ଯାନ, ୨,୭୩,୯୮୦ଟି କାର୍ ଏବଂ ୩୫,୪୫୬ଟି ଥିଲା ଟ୍ରାକ୍ଟର। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ୫୫.୩୫ ପ୍ରତିଶତ ଅଧିକ ଟ୍ରାକ୍ଟର ବିକ୍ରି ହୋଇଛି।
10/11/2020