Bikash Khabar
୫୫୦୦ ପଡ଼ା ଗ୍ରାମକୁ ମିଳିବ ରାଜସ୍ୱ ଗ୍ରାମର ମାନ୍ୟତା

ରାଜ୍ୟର ୫୫୦୦ଟି ପଡ଼ାକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ଏହି ସବୁ ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ମାର୍ଗଦର୍ଶିକାକୁ କୋହଳ କରାଯିବା ଲାଗି ରାଜସ୍ୱ ବିଭାଗରେ ବିଚାର ବିମର୍ଷ ଚାଲିଥିବା ଜଣାଯାଇଛି । ସୋମବାର ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏଭଳି ମତ ପ୍ରକାଶ ପାଇଛି ।
ଜନସାଧାରଣଙ୍କୁ ରାଜସ୍ୱ ସେବାର ସୁଫଳ ପ୍ରଦାନ ନିମନ୍ତେ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚାଇଥିଲେ । ରାଜସ୍ୱ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ରାଜସ୍ୱସେବାକୁ ଅଧିକ ଲୋକଙ୍କ ନିକଟତର କରାଇବା ପାଇଁ ପଡ଼ା ଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଗରେ ବିଭାଗ ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଦର୍ଶାଇଥିଲେ । ବର୍ତ୍ତମାନ ସୁଦ୍ଧା ମୋଟ ୪୦୪୬ଟି ପ୍ରସ୍ତାବ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ଥିବାବେଳେ ୩୭୨ ପ୍ରସ୍ତାବ ବାତିଲ ଓ ୭ଟି ରାଜସ୍ୱ ପରିଷଦରେ ପଡ଼ିରହିଛି । ସବୁଠୁ ଅଧିକ ପ୍ରସ୍ତାବ ଆସିଥିବା ୧୦ଟି ଜିଲ୍ଲାକୁ ଲ୍ୟାଣ୍ଡ ରେକର୍ଡ଼ ସର୍ଭେ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗସ୍ତକରି ଆଗାମୀ ୧ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । କଟକ, ଯାଜପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଧିକ ପଡ଼ା ଗ୍ରାମ ରାଜସ୍ୱ ଗ୍ରାମ ଭାବେ ସ୍ୱିକୃତି ପାଇବା ପାଇଁ ଆବେଦନ କରିଛନ୍ତି । ଆଇନ ଅନୁଯାୟୀ ୩୦୦ ଲୋକ ସଂଖ୍ୟାରୁ ଅଧିକ ଓ ରାଜସ୍ୱ ଗ୍ରାମ ଠାରୁ ଅଧ କିଲୋମିଟର ଦୂରରେ ଥିବା ପଡ଼ା ଗ୍ରାମ ଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରିବ । ୨୫୦ ଲୋକସଂଖ୍ୟାରୁ କମ୍ ହୋଇଥିବା କ୍ଷେତ୍ରରେ ଯଦି ଗାଁଟି ରାଜସ୍ୱ ଗ୍ରାମଠାରୁ ପ୍ରାକୃତିକ ଭାବେ ଅଲଗା ହୋଇଥାଏ ତେବେ ଏହା ରାଜସ୍ୱ ଗ୍ରାମ ଭାବେ ବିବେଚିତ ହେବ । 

 

02/10/2018

Leave a Reply

Your email address will not be published. Required fields are marked *

Comments