Bikash Khabar
ଖଦିରେ ତିଆରି କରୁଛନ୍ତି ମାସ୍କ, ଜୀବନ ଜିଇଁବାର ରାହା ପାଇଛନ୍ତି ସମ୍ବଲପୁର ର ୬ ଯୁବତୀ

 ବର୍ତ୍ତମାନ ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏହାରି ଭିତରେ ଜୀବନ ଜିଇଁବାର ରାହା ଖୋଜି ପାଇଛନ୍ତି ଜଣ ଯୁବତୀ। ସେମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ବା ପଛୁଆ ବର୍ଗର। ନିକଟରେ ନେଇଥିବା ତାଲିମକୁ ଆଧାର କରି ସେମାନେ ଆରମ୍ଭ କରିଛନ୍ତି ମାସ୍କ ସିଲେଇ କାର୍ଯ୍ୟ। ସଂପୂର୍ଣ୍ଣ ଖଦି କନାରେ ଇଲାଷ୍ଟିକ୍ ଲଗାଇ ସେମାନେ ମାସ୍କ ତିଆରି କରୁଛନ୍ତି। ବର୍ତ୍ତମାନ କୋଭିଡ୍-୧୯ ଭୂତାଣୁ ଆତଙ୍କେଯାଗୁଁ ବଜାରରେ ମାସ୍କ୍ ନାହିଁ ନଥିବା ଚାହିଦା ଥିଲାବେଳେ ସେମାନେ ଏହାକୁ କମ୍ ଦରରେ ବିକ୍ରି କରି ଅର୍ଥ ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି।ସମ୍ବଲପୁର ଜିଲ୍ଲା ରେଂଗାଲି ବ୍ଲକ୍ଅନ୍ତର୍ଗତ ତଲାବିରାଠାରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନି ଏନ୍ଏଲ୍ସିର ଖଣି କାର୍ଯ୍ୟ ଯୋଗୁଁ ବିସ୍ଥାପିତ ହେବେ ବୁଧିଆପାଲି ଖିଣ୍ଡା ଗ୍ରାମବାସୀ। ଏହି ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ପାଇଁ ଏନ୍ଏଲ୍ସି ପକ୍ଷରୁ ଲାଣ୍ଡୁପାଲିରେ ନିର୍ମାଣ ହେଉଛି ପୁନର୍ବାସ ଥଇଥାନ କଲୋନି। ଉକ୍ତ ଦୁଇ ଗ୍ରାମର କିଛି ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏନ୍ଏଲ୍ସି ପକ୍ଷରୁ ରାଉରକେଲାସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରକୁ ପଠା ଯାଇଥିଲା। ଉକ୍ତ ଯୁବତୀମାନେ ସେଠାରେ ୪୫ ଦିନ ଧରି ସିଲେଇ ତାଲିମ ନେଇଥିଲେ। ସେଠାରୁ ଫେରିବା ପରେ ବର୍ତ୍ତମାନ କମ୍ପାନି ସେମାନଙ୍କୁ ୬ଟି ବିଦ୍ୟୁତ୍ଚାଳିତ ସିଲେଇ ମେସିନ୍ପ୍ରଦାନ କରିଛି। ଏକା ସାଂଗରେ ବହୁ ପରିମାଣର କନା କାଟିବା ପାଇଁ ଏକ ବିଦ୍ୟୁତ୍ ଚାଳିତ କଟର୍କିଣା ହୋଇଛି। ଲାଣ୍ଡୁପାଲିସ୍ଥିତ ପୁନର୍ବାସ କଲୋନିର ଏକ ଗୃହରେ ଏହି ଯୁବତୀମାନେ ଗୁରୁବାରଠାରୁ ମାସ୍କ ସିଲେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥି ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଲାଗିବାକୁ ଥିବା କନା, ଇଲାଷ୍ଟିକ୍, ସୂତା ଆଦି ସାମଗ୍ରୀ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଛି।ନୂଆ କାମ ଆରମ୍ଭ କରିଥିବା ୧୯ରୁ ୨୨ ବର୍ଷ ବୟସ୍କା ଏହି ଯୁବତୀମାନେ କରୋନା ବିପଦ ସମୟରେ ମାସ୍କ ଭଳି ଏକ ଅତ୍ୟାବଶ୍ୟକ ସାମଗ୍ରୀ ତିଆରି କରୁଥିବାରୁ ବେଶ ଖୁସି। ଏହାକୁ ସେମାନେ ୧୦ରୁ ୧୫ ଟଙ୍କା ମୂଲ୍ୟରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେମାନେ ଏକ କ୍ଷୁଦ୍ର ସୋସାଇଟି କରି ତା ଜରିଆରେ ଏହାକୁ ବିକ୍ରି କରିବେ। ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣ ମିଶି ଦିନକୁ ପ୍ରାୟ ୬୦୦ ମାସ୍କ ତିଆରି କରୁଥିଲାବେଳେ କିଛି ଦିନ କାମ କଲା ପରେ ଦୈନିକ ୧୨୦୦ ପର୍ଯ୍ୟନ୍ତ ମାସ୍କ ତିଆରି କରି ପାରିବେ ବୋଲି କହିଛନ୍ତି ୨୧ ବର୍ଷିୟା ପ୍ରମୋଦିନୀ ରାୟ।

21/03/2020

Leave a Reply

Your email address will not be published. Required fields are marked *

Comments