Bikash Khabar
ଦ୍ୱିତୀୟ ପର୍ଯ୍ୟାୟରେ ହେଲା ୬୪ ପ୍ରତିଶତ ମତଦାନ

୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀ ପାଇଁ ଗୁରୁବାର ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

ଅପରାହ୍ନ ୫ଟା ସୁଦ୍ଧା ସମୁଦାୟ ୭୬.୯୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତ ମତଦାନ କରିଥିଲେ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା  ଅନ୍ତର୍ଗତ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାଁ ଭାଁ ହିଂସା, ଇଭିଏମ ତ୍ରୁଟି ହୋଇଥିଲେ ହେଁ ମୋଟାମୋଟି ନିର୍ବାଚନ ଶୃଙ୍ଖଳାର ସହିତ ସମାପିତ ହୋଇଥିଲା । ମାନବିକ ତ୍ରୁଟି କାରଣରୁ ୬ଟି ବୁଥରେ ପୁନଃ ମତଦାନ ହେବାର ନିଷ୍ପତ୍ତି ନିଆଯାଇଛି । ବଣାଇର ୧୨୯ ନମ୍ବର ବୁଥ ଏବଂ ସୁନ୍ଦରଗଡ଼ର ୨୧୩ ନମ୍ବର ବୁଥରେ ପୁନଃ ମତଦାନ ହେବ । ସେହିପରି ବରଗଡ଼ର ୬୮ ନମ୍ବର ବୁଥ, ଅତାବିରାର ୨୩୫ ଏବଂ ଦଶପଲାର ୨୧୦ ଓ ୨୨୨ ନମ୍ବର ବୁଥରେ ପୁନଃ ମତଦାନ ନିଷ୍ପତ୍ତି ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, କଳିକେଶ ନାରାୟଣ ସିଂହଦେଓ, ସୁରେଶ ପୁଜାରୀ ଏବଂ ସଂଗୀତା ସିଂହଦେଓଙ୍କ ଭାଗ୍ୟ ଇଭିଏମ ଭିତରେ ସିଲ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ ବିଜେପୁର ଦୁଇଟି ଆସନରେ ନିଜର ଭାଗ୍ୟ ପରୀକ୍ଷା କରାଉଛନ୍ତି ।

19/04/2019

Leave a Reply

Your email address will not be published. Required fields are marked *

Comments