Bikash Khabar
ପୁରୁଷଙ୍କ ପେଷାରେ ତିଷ୍ଟିଛନ୍ତି ଅନୀତା ଓ ସାଗରୀ

ବ୍ରହ୍ମପୁର କାର୍ଗିଲ ରୋଡ଼ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ଦୁଇ ଯୁବତୀ ସାଗରୀ ନାୟକ ଓ ଅନୀତା ସାହୁ । ୨୨ ବର୍ଷର ଅନୀତା ଓ ୧୯ ବର୍ଷର ସାଗରୀ ପୁରୁଷ ଆଧିପତ୍ୟ ଏଭଳି ପେଷାରେ ସଫଳତାର ସହ ତିଷ୍ଟିଛନ୍ତି । 

ପେଟ୍ରୋଲ ପମ୍ପର ମ୍ୟାନେଜର ଗଗନ ବିହାରୀ ଦାସ କହନ୍ତି ଆମ ପେଟ୍ରୋଲ ପମ୍ପରେ ୨୨ ଜଣ କର୍ମଚାରୀଙ୍କ ମଧ୍ୟରୁ ଏହି ଦୁଇଜଣ ହେଉଛନ୍ତି ମହିଳା, ଯିଏକି ପୁରୁଷ କର୍ମଚାରୀଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି । ହେଲମେଟ୍ ପିନ୍ଧିନଥିବା ବାଇକ ଚାଳକଙ୍କୁ ପେଟ୍ରୋଲ ଦେବାକୁ ସିଧା ସିଧା ମନା କରି ଦେଉଥିବା ଅନୀତା ମାସିକ ୧୨,୧୨୧ ଟଙ୍କା ବେତନ ପାଇଥାନ୍ତି । ଭବିଷ୍ୟନିଧି ଯୋଜନାରେ ତାଙ୍କୁ ସଂଶ୍ଲିଷ୍ଟ କରାଯାଇଛି । ୨ ଲକ୍ଷ ଟଙ୍କାର ବୀମା ସହିତ ୮୦୦ ଲିଟର ପେଟ୍ରୋଲ ବିକ୍ରୀ ଉପରେ ଦୈନିକ ୫୦ ଟଙ୍କାର ଅଲଗା ପ୍ରୋତ୍ସାହନ ରାଶି ଦିଆଯାଇଥାଏ । ୧୬୦୦ ଲିଟରରୁ ଅଧିକ ବିକ୍ରୀ କ୍ଷେତ୍ରରେ ୧୦୦ ଟଙ୍କାର ପ୍ରୋତ୍ସାହନ ରହିଛି । ଅନୀତା ଅନେକ ଥର ଏଭଳି ପ୍ରୋତ୍ସାହନ ରାଶି ମଧ୍ୟ ପାଇଥିବା କହନ୍ତି ।
ଖଲ୍ଲିକୋଟ କଲେଜରୁ ଯୁକ୍ତ ତିନି ପଢିଛନ୍ତି ଅନୀତା । ନିଜର ଜେଜେମାଙ୍କ ମୃତ୍ୟୁ ପରେ ଯୁକ୍ତ ତିନି ଶିକ୍ଷା ସାରି ପାରିନଥିବା କହନ୍ତି । ତାଙ୍କର ଦୁଇ ଭଉଣୀ ଓ ଜଣେ ଭାଇ । ଅନୀତା ଗୋପବନ୍ଧୁ ନଗରରେ ରହନ୍ତି । ସକାଳ ୬ରୁ ୨ଟା ଯାଏ କାମ କରି ନିଜ ଭାଇ ଭଉଣୀଙ୍କ ଯତ୍ନ ନେଇଥାନ୍ତି । ଏଠାର ପୁରୁଷ କର୍ମୀମାନେ ବେଶ ଭଲ । ଟିମ୍ ୱାର୍କର ଉତ୍ସାହ ଦେଖିବାକୁ ମିଳେ ।

08/03/2019

Leave a Reply

Your email address will not be published. Required fields are marked *

Comments