ଟୀକା ପାଇଁ ସର୍ବଦଳୀୟ ବୈଠକରେ କହିଲେ ମୋଦି ,ଟିକା ବଣ୍ଟନ ପାଇଁ ପ୍ରସ୍ତୁତ ହୋଇଛି ଦେଶରେ ପ୍ରଭାବୀ ନେଟ୍ୱାର୍କ ବ୍ୟବସ୍ଥା
କରେନା ଟିକା ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଉ କିଛି ସପ୍ତାହ ମଧ୍ୟରେ ଆସି ଯିବ କରୋନା ଟିକା। ଥରେ ଟିକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଯିବ। ଟିକା ଦିଆଯିବା ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମେତ ଯେଉଁମାନଙ୍କ ପାଇଁ ଏହାର ଆବଶ୍ୟକତା ଅଧିକ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ସେହିପରି ଟିକା ବଣ୍ଟନ ପାଇଁ ଏକ ଉତ୍ତମ ନେଟ୍ୱାର୍କ ବ୍ୟବସ୍ଥା ସ୍ଥାପନ କରିସାରିଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ନେଟ୍ୱାର୍କ ଯଥେଷ୍ଟ ଉନ୍ନତ ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି।ବିଶ୍ୱର ଅନ୍ୟ ଦେଶମାନେ କରୋନା ଟିକା ବାହାର କରିବାପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ସମଗ୍ର ବିଶ୍ୱ ଏକ୍ଷେତ୍ରରେ ଭାରତଠାରୁ ଅନେକ କିଛି ଆଶା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଟିକା ବାହାର କରିବା ଲାଗି ଏହା
ସହ ସମ୍ପୃକ୍ତ ସମସ୍ତ ସଂସ୍ଥା ପରସ୍ପର ସହ ସମନ୍ୱୟରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଅନେକ ରାଜ୍ୟ ସରକାରମାନଙ୍କ ସହାୟତାରେ ଏହି ଟିକା ବଣ୍ଟନ ନେଟ୍ୱାର୍କକୁ ଅଧିକ ଶକ୍ତିଶାଳୀ କରାଯିବ । ଠିକ୍ ସମୟରେ ଯେଭଳି ଏହାକୁ ଲୋକମାନଙ୍କୁ ଦିଆଯାଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିବା ବିଷୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ଏକ୍ଷେତ୍ରରେ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟ ସରକାରମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଟିକାର ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତରେ ସରକାର ରାଜ୍ୟ ସରକାରମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି। ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ ସମୟରେ ସାଧାରଣ ଲୋକଙ୍କୁ ଧ୍ୟାନରେ ରଖାଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, କରୋନା ବିପକ୍ଷରେ ଭାରତର ଲଢ଼େଇରେ ଦେଶର ଜନସାଧାରଣଙ୍କ ଇଚ୍ଛାଶକ୍ତିର ପ୍ରତିଫଳନ ଘଟିଛି। ଭାରତ ସାହସର ସହ କରୋନାର ମୁକାବିଲା କରିଆସୁଛି। ଭାରତର ଏକ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସହାୟତା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକାକୁ ନେଇ ଅନେକ ଗୁଜବ ପ୍ରଚାରିତ ହେଉଛି ଓ ସେଦୃଷ୍ଟିରୁ ସର୍ବସାଧାରଣ ଏଥିପ୍ରତି ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଆସି ପହଞ୍ଚିଛେ।
04/12/2020