Bikash Khabar
କୁଷ୍ଠ ରୋଗୀଙ୍କୁ ନୁଆ ଜୀବନ ଦେବା ପାଇଁ ୨ କୋଟିର ସମ୍ପତ୍ତିକୁ ତୁଚ୍ଛ କରିଥିଲେ ବାବା ଆମତେ

ଡ଼ାକ୍ତର ମୁରଲିଧର ଦେବୀ ଦାସ ଆମତେଙ୍କୁ ଲୋକେ ବାବା ଆମତେ ନାମରେ ଜାଣନ୍ତି । ୨୬ ଡ଼ିସେମ୍ବର ୧୯୧୪ରେ ମହାରାଷ୍ଟ୍ରର ୱାର୍ଦ୍ଦା ଜିଲ୍ଲାର ହିଙ୍ଗଣଘାଟ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମିତ ଆମତେଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ବାବା ଆମତେଙ୍କ ଶୈଶବ ଅତ୍ୟନ୍ତ ସ୍ନେହ ସୌହାର୍ଦ୍ଦ ଓ ବିଳାସରେ ବିତିଥିଲା ।

ଥରେ ଜଣେ ଦୃଷ୍ଟିବାଧିତ ଭିକ୍ଷୁକଙ୍କୁ ଦେଖି ସେ ବ୍ୟାକୁଳ ହୋଇଉଠିଥିଲେ । ଘରୁ ପୁଳା ପୁଳା ଟଙ୍କା ଆଣି ସେ ଭିକ୍ଷୁକଙ୍କ ମୁଣି ଭର୍ତ୍ତି କରିଦେଇଥିଲେ । ସେତେବେଳେକୁ ତାଙ୍କର ବୟସ ମାତ୍ର ୯ ବର୍ଷ ।
ଓକିଲାତି ପଢିଥିବା ବାବା ଆମତେ ଶହୀଦ ରାଜଗୁରୁଙ୍କ ବନ୍ଧୁ ଥିଲେ । ତାଙ୍କ ଉପରେ ବିନୋବା ଭାବେଙ୍କ ପ୍ରଭାବ ଗଭୀର ଭାବେ ପଡ଼ିଥିଲା । ବିନୋବାଙ୍କ ଆଦର୍ଶ ପ୍ରଚାର ପାଇଁ ସେ ସାରା ଭାରତ ବୁଲିଥିଲେ । ପରିଭ୍ରମଣ ସମୟରେ ସେ କୁଷ୍ଠ ରୋଗୀମାନଙ୍କ ସ୍ଥିତି ଦେଖି ଅତ୍ୟନ୍ତ ବିଚଳିତ ହୋଇପଡ଼ିଥିଲେ । ସାମାଜିକ ବାସନ୍ଦ ରୋଗୀମାନେ ଚିକିତ୍ସା ସେବାରୁ ମଧ୍ୟ ବଂଚିତ ହେଉଥିଲେ । ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟସ୍ଥଳଟିଏ ନଥିବା ଅନୁଭବ କରିବା ପରେ ବାବାଙ୍କର ମନ କୁଷ୍ଠରୋଗାକ୍ରାନ୍ତଙ୍କ ସେବା ପାଇଁ ବଳିଥିଲା । ଏହି ରୋଗକୁ ଜାଣିବା ପାଇଁ ସେ ୧୯୫୧ରେ କଲିକତାରେ ସ୍କୁଲ ଅଫ ଟ୍ରପିକାଲ ମେଡ଼ିସିନରେ ନାମ ଲେଖାଇଥିଲେ । ପରେ ନିଜର ପତ୍ନୀ ସାଧନା ତାଇଙ୍କ ସହ ମିଶି ରାଜପ୍ରସାଦ ଭଳି ଘରକୁ ଛାଡ଼ି କୁଷ୍ଠରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ମହାରାଷ୍ଟ୍ରର ଚନ୍ଦ୍ରପୁର ଓରୋଡ଼ା ନିକଟସ୍ଥ ଘନ ଜଙ୍ଗଲରେ ନିଜର ପତ୍ନୀ, ଦୁଇପୁତ୍ର, ଗୋଟିଏ ଗାଇ ଏବଂ ୭ ଜଣ କୁଷ୍ଠ ରୋଗୀଙ୍କୁ ନେଇ ଆନନ୍ଦବନ ନିର୍ମାଣ କରିଥିଲେ । ଏଠାରେ ସ୍ଥାପିତ ହୋଇଥିଲା ମହାରୋଗୀ ସେବା ସମିତି । ପରେ ଏହି କେନ୍ଦ୍ର କୁଷ୍ଠ ରୋଗୀଙ୍କ ଆଶା ଭରସାର ସମ୍ମାନଜନକ କେନ୍ଦ୍ର ଭାବେ ପରିଚିତ ହୋଇଥିଲା । ବାବା ଆମତେଙ୍କ ଏହି କାମ ପାଇଁ ୧୯୭୧ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୧୯୮୦ରେ ପଦ୍ମ ବିଭୁଷଣ ସମ୍ମାନ ମିଳିଥିଲା । 
 

31/12/2018

Leave a Reply

Your email address will not be published. Required fields are marked *

Comments