Bikash Khabar
କନ୍ଧମାଳରେ ପହଂଚୁନି ସରକାରୀ ଯୋଜନା, କମିବା ବଦଳରେ ବଢି ଚାଲିଛି ଶିଶୁ ମୃତ୍ୟୁ

ଯୋଜନ ଦୂରରେ ଯୋଜନା । କନ୍ଧମାଳର ବାସିନ୍ଦାଙ୍କ ପାଇଁ ସରକାରୀ ଯୋଜନା ଅପହଂଚ ହୋଇଛି । ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ଜିଲ୍ଲାରେ ଶିଶୁମୃତ୍ୟୁ କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଗତ ୫ ବର୍ଷ ମଧ୍ୟରେ ଜନ୍ମରୁ ପାଂଚବର୍ଷ ବୟସ ମଧ୍ୟରେ ୩ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି । ବେସରକାରୀ ତଥ୍ୟ ଏହାଠାରୁ ଢେର ଅଧିକ ଥିବା କୁହାଯାଉଛି ।

୨୦୧୩-୧୪ରେ ଜିଲ୍ଲାରେ ୫୫୨ ଜଣ ଶିଶୁ ଆଖି ବୁଜିଥିବା ବେଳେ ୨୦୧୪-୧୫ରେ ଏହି ସଂଖ୍ୟା ୭୦୨ରେ ପହଂଚିଥିଲା । ୨୦୧୫-୧୬ରେ ୬୭୩, ୨୦୧୬-୧୭ରେ ୬୧୨ ଏବଂ ୨୦୧୭-୧୮ରେ ୬୫୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଫିରିଙ୍ଗିଆ ବ୍ଲକରେ ୫ ବର୍ଷ ମଧ୍ୟରେ ସର୍ବାଧିକ ୩୯୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ତା ପଛକୁ ରହିଛି ଦାରିଙ୍ଗିବାଡ଼ି । ଦାରିଙ୍ଗିବାଡ଼ିରେ ୩୫୧ ଜଣ ଶିଶୁ ଆଖି ବୁଜିଛନ୍ତି । ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ସରକାର ମମତା ଯୋଜନା ଠାରୁ ଆରମ୍ଭ କରି ଗାଁ ଗାଁରେ ଆଶାକର୍ମୀଙ୍କୁ ନିୟୋଜିତ କରୁଛନ୍ତି । ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ହେଲେ କନ୍ଧମାଳର ଦୁର୍ଗମ ଗାଁ ଗୁଡ଼ିକରେ ଏଭଳି ଯୋଜନା ପହଂଚି ପାରୁନଥିବା ଲକ୍ଷ୍ୟ କରାଯାଉଛି । ଜିଲ୍ଲାରେ ଅପପୃଷ୍ଟି ଓ ଶିଶୁମୃତ୍ୟୁକୁ ନେଇ ପ୍ରଶାସନର ଜଡ଼ତା ଏପର୍ଯ୍ୟନ୍ତ ଭାଙ୍ଗିପାରୁନଥିବା ଚର୍ଚ୍ଚା ହେଉଛି ।

26/02/2019

Leave a Reply

Your email address will not be published. Required fields are marked *

Comments