Bikash Khabar
କପା ପାଇଁ କପାଳକୁ ନିନ୍ଦୁଛି ଚାଷୀ

ଦିନେ କପା ଥିଲା ଧଳା ସୁନା । ଆୟକାରୀ ଫସଲ ଭାବେ ଚାଷୀକୁ ଆର୍ଥିକ ସମୃଦ୍ଧି କରୁଥିଲା ଏହି ଫସଲ । ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର ଆଦି ଜିଲ୍ଲାରେ କପା ଚାଷର ଜମି ପରିମାଣ ବଢି ବଢି ଚାଲିଥିଲା । ହେଲେ ଏବେ ଏହି ଚାଷ ପାଇଁ ଚାଷୀ ନିଜ କପାଳକୁ ନିନ୍ଦୁଛି ।

କପାର ଅଭାବୀ ବିକ୍ରି ରାୟଗଡ଼ାର ଚାଷୀମାନଙ୍କ ମୁହଁରୁ  ହସ ଛଡ଼ାଇ ନେଇଛି । ଉତ୍ପାଦିତ ଦ୍ରବ୍ୟର ବିପଣନ ପାଇଁ ବ୍ୟବସ୍ଥା ନଥିବାବେଳେ ତେଣେ ବିଟି କଟନ ମାୟାରେ ପଡ଼ି ଚାଷ ମାଟିର ଉର୍ବରତାକୁ ନିଜ ହାତରେ ନଷ୍ଟ କରାଇଛି ।
ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ କେବଳ ୩୪ ହଜାର ହେକ୍ଟର  ଜମିରେ କପା ହୋଇଛି । ସେଥିରୁ ୨୨ ହଜାର ହେକ୍ଟର ଜମିର ୩୩ ପ୍ରତିଶତ ଫସଲ ବର୍ଷା ପବନରେ ନଷ୍ଟ ହୋଇଛି । ୧୦ ହଜାର ହେକ୍ଟର ଜମିରେ ୫୦ ପ୍ରତିଶତ କପାର କ୍ଷତି ହୋଇଥିବା କୃଷି ବିଭାଗ କହିଛି । ଗତ ବର୍ଷ ୪ ଲକ୍ଷ ୪୦ ହଜାର ୪୦୯ ଟନ୍ କପା ଉତ୍ପାଦନ ହୋଇଥିବାବେଳେ ଚଳିତ ବର୍ଷ ମାତ୍ର ୩୦ ହଜାର ଟନ୍ ଉତ୍ପାଦନର ଆକଳନ ହୋଇଛି । ଗତ ବର୍ଷ କପା ନିଗମ ୯୦ ପ୍ରତିଶତ କପା କିଣିବା ପରେ ବାକି ୧୦ ପ୍ରତିଶତ କପା ବେସରକାରୀ ପ୍ରତିଷ୍ଠାନ ଖରିଦ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ତେବେ ନିଗମ ମାତ୍ର ୪୦ ଭାଗ କପା କିଣିଥିଲା । ତେଣୁ ଚାଷୀ ବାଧ୍ୟ ହୋଇ ଚାଷୀ ଆନ୍ଧ୍ର ବେପାରୀଙ୍କୁ କମ୍ ଦାମରେ ବିକ୍ରୀ କରିଛି । କପାର ରଙ୍ଗ ଫିକା ପଡ଼ିଥିବା ଓ ଆଦ୍ରତା ଥିବା ଦର୍ଶାଇ ଆନ୍ଧ୍ର ବେପାରୀ ଦାମ କମାଇ ଦେଇଥିବାରୁ କପା ଚାଷୀ ନିଜ କପାଳକୁ ନିନ୍ଦିବା ବ୍ୟତୀତ ଆଉ କିଛି ଚାରା ନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି ।

18/01/2019

Leave a Reply

Your email address will not be published. Required fields are marked *

Comments