ବସ୍ ମାଲିକ ସଂଘ ଦାବିକୁ ଶୁଣିଛନ୍ତି ସରକାର । ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଥିବାବେଳେ ଏପ୍ରିଲ, ମେ', ଜୁନ୍ ମାସର ରୋଡ୍ ଟିକସ ଛାଡ଼ କରିଛନ୍ତି ସରକାର । ବସ୍ ମାଲିକ ସଂଘ ରଖିଥିବା ଦାବିକୁ ବିଚାର କରି ସରକାର ବସ୍ ମାଲିକଙ୍କ କ୍ଷତିକୁ କିଛି ମାତ୍ରାରେ ଭରଣା କରିବା ପାଇଁ ରୋଡ୍ ଟିକସ ଛାଡ଼ ନିଷ୍ପତ୍ତି ନେଇଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏପ୍ରିଲ ମାସରେ ବସ୍ ସେବା ପୂରା ବନ୍ଦ ଥଲା । ମେ' ୨୮ରୁ ବସ୍ ଗଡ଼ିଛି ରାଜ୍ୟରେ । ତେଣୁ ଏପ୍ରିଲ, ମେ' ସହ, ଜୁନ୍ ମାସରେ ବସ୍ ଉପରୁ ରୋଡ୍ ଟିକସ ଛାଡ଼ କରାଯାଇଛି । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଶ୍ରୀ ବେହେରା କହିଛନ୍ତି ଯେ ଲକ ଡାଉନ ଯୋଗୁଁ ବସଚଳାଚଳ ବନ୍ଦହୋଇଥିଲା । ଲକ ଡାଉନ ର ଚତୁର୍ଥ ପର୍ଯ୍ୟାୟରେ ବସ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ୨୮ ତାରିଖ ଦିନ ଭୁବନେଶ୍ୱର ରୁ ବୌଦ୍ଧ କୁ ୧୪ ଜଣ ଯାତ୍ରୀଙ୍କୁ ନେଇ ପ୍ରଥମ ବସ ଗଡିଥିଲା । ରୋଗ ସଂକ୍ରମଣ ଭୟରେ ଯାତ୍ରୀମାନେ ବସ ରେ ଯାତ୍ରା କରିବାକୁ ଆସୁନଥିବା ବେଳେ ଦୁଇମାସ ବନ୍ଦ ଜନିତ କ୍ଷତି ପରେ ଯାତ୍ରୀ ହେଉନଥିବା ଘରୋଇ ବସ ମାଲିକ ସଙ୍ଘ ପରିବହନ ମନ୍ତ୍ରୀକୁ ଭେଟି ରୋଡ଼ ଟାକ୍ସ ଛାଡ଼ ପାଇଁ ପ୍ରସ୍ତାବ ଦେଇଥିଲେ। ଟାକ୍ସି ଓ ଅଟୋ ଚାଳକ ସଂଘ କର୍ମକର୍ତ୍ତାମାନଙ୍କ ମଧ୍ୟ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ସେମାନେ ନିଜର ବିଭିନ୍ନ ସମସ୍ୟା ରଖିଛନ୍ତି । ସେମାନଙ୍କ ଦାବିକୁ ଅନୁଧ୍ୟାନ କରି ସରକାର ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
30/05/2020