କରୋନା ପାଇଁ ଚୁତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ସୋମବାର ଆରମ୍ଭ ହୋଇଛି। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ତାଲାବନ୍ଦ ଜାରି ରହିବ। କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ସରକାରୀ ବିଭାଗ ଚଳଚଞ୍ଚଳ ରହିବ। ମଙ୍ଗଳବାର ଅର୍ଥାତ ମେ ୧୯ ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତ ପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଜ୍ଞପ୍ତି ଅନୁଯାୟୀ, କୌଣସି କର୍ମଚାରୀଙ୍କର ଥଣ୍ଡା, କାଶ, ଜ୍ବର କିମ୍ବା ଫ୍ଲୁ ଲକ୍ଷଣ ଥିଲେ ଅଫିସ ଆସିବେ ନାହିଁ। ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ। ସେହିପରି କରୋନା ସଂକ୍ରମଣ ଯୋଗୁଁ ଅବରୋଧ ଅଞ୍ଚଳର କର୍ମଚାରୀ ବି ଅଫିସ୍ ଆସିପାରିବେ ନାହିଁ। ଅଫିସ୍ରେ ସାମାଜିକ ଦୂରତା ଯେପରି ବଜାୟ ରହିବ, ସେଥିପାଇଁ ବିଭାଗୀୟ ମୁଖ୍ୟ ସମସ୍ତ ପ୍ରକାର ପଦକ୍ଷେପ ନେବେ। ଯଦି ସାମାଜିକ ଦୂରତା ରକ୍ଷା ନେଇ ସ୍ଥାନ ଅଭାବ ଦେଖାଦିଏ, ସେ କ୍ଷେତ୍ରରେ ବିଭାଗୀୟ ମୁଖ୍ୟ ସରକାରଙ୍କୁ ଜଣାଇଲେ ସମ୍ପୃକ୍ତ ବିଭାଗର କର୍ମଚାରୀଙ୍କ ପାଇଁ ରୋଷ୍ଟର ବ୍ୟବସ୍ଥା କରାଯିବ। କିନ୍ତୁ କୌଣସି ବି ପରିସ୍ଥିତିରେ ତାଲାବନ୍ଦ ଯୋଗୁଁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବନାହିଁ ବୋଲି ସରକାର ଜଣାଇଛନ୍ତି।
19/05/2020