ବୈଜ୍ଞାନିକଙ୍କ ସ୍ୱୀକୃତି ପରେ ଟିକାକରଣ, ୧ କୋଟି ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଥମେ ମିଳିବ ଟୀକା
ଟିକା ପାଇଁ ଆଉ ବେଶୀଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଗାମୀ କିଛି ସପ୍ତାହ ମଧ୍ୟରେ କୋଭିଡ୍ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆମ ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି। ବୈଜ୍ଞାନିକଙ୍କ ସ୍ବୀକୃତି ପରେ ଦେଶରେ ଖୁବ୍ ଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ ବୋଲି ସର୍ବଦଳୀୟ ବୈଠକ ରେ ସୂଚନା ପ୍ରଦାନ କରି ଦେଶବାସୀଙ୍କ ଆସ୍ୱାସ୍ଥ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କୋଭିଡ୍ ଟିକାର ମୂଲ୍ୟ କେତେ ରହିବ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିଛନ୍ତି, ଟିକାର ମୂଲ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କିନ୍ତୁ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ପ୍ରଥମେ ଗୁରୁତ୍ବ ଦିଆଯିବ ଏବଂ ରାଜ୍ୟମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ବିଶ୍ବରେ ଏବେ ୮ ଟିକା ନିର୍ମାତା ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଥିବା ବେଳେ ଭାରତରେ ମଧ୍ୟ ୩ ପ୍ରମୁଖ ଟିକା ନିର୍ମାତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଟିକା ସଂକ୍ରାନ୍ତରେ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ପୁନେ, ଅହମଦାବାଦ୍ ଏବଂ ହାଇଦ୍ରାବାଦ୍ ଗସ୍ତ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଜ୍ଞାନିକମାନେ ଟିକାକୁ ନେଇ ସଫଳ ହେବେ ବୋଲି ଦୃଢ଼ ଭରସା ରଖିଛନ୍ତି। ସମଗ୍ର ବିଶ୍ବ ଏକ ଶସ୍ତା ଏବଂ ସୁରକ୍ଷିତ ଟିକା ଉପରେ ନଜର ରଖିଛି। କେବଳ ଏହି କାରଣ ପାଇଁ ବିଶ୍ବ ଭାରତକୁ ଚାହିଁ ରହିଛି। ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ବିଭିନ୍ନ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ବଣ୍ଟନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଟିମ୍ କାମ କରୁଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତର ବିଶେଷଜ୍ଞଙ୍କର ଟିକା ବଣ୍ଟନ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଟିକା ବଣ୍ଟନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳର ନେତାମାନଙ୍କଠାରୁ ଲିଖିତ ପ୍ରସ୍ତାବ ଚାହିଛନ୍ତି ଏବଂ ସରକାର ଏହି ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଲାଗୁ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।
05/12/2020