Bikash Khabar
ମାର୍ଚ୍ଚ ସୁଦ୍ଧା ସରିବ ବହୁ ସ୍ମାର୍ଟ ସିଟି ପ୍ରକଳ୍ପ

କରୋନା ମହାମାରୀ ପାଇଁ ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକ ଅଧାପନ୍ତରା ହୋଇପଡ଼ିଛି। କାହାର ଧାର୍ଯ୍ୟ ସମୟ ପୂରିଗଲାଣି କାହାର ଅବଧି ମାସେରୁ ଦୁଇ ମାସ ଭିତରେ ସରିବ। ସ୍ମାର୍ଟ ଜନପଥରୁ ଆରମ୍ଭ କରି ବହୁତଳ କାର୍ ପାର୍କିଂ, ବିଏମ୍ସି ମୁଖ୍ୟାଳୟ କାର୍ଯ୍ୟ ପର୍ଯ୍ୟନ୍ତ ସବୁ କାମ ପ୍ରଭାବିତ ହୋଇଛି। ଏପରିକି ଲେକ୍ନିଉଟ୍ରାଲ ପ୍ରକଳ୍ପରୁ ଆରମ୍ଭ କରି ଜନପଥ ଗୃହ ପୁନଃଉନ୍ନତୀକରଣ ପ୍ରକଳ୍ପ ପର୍ଯ୍ୟନ୍ତ ବହୁ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି। ସ୍ମାର୍ଟ ଜନପଥ ଭଳି ଅଧାପନ୍ତରା ପ୍ରକଳ୍ପକୁ ଯିଏ ଦେଖୁଛି ସେ ପଚାରୁଛି କାମ କେବେ ସରିବ? ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବହୁ ପ୍ରକଳ୍ପ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ସ୍ମାର୍ଟ ଜନପଥ କାମରୁ ଆରମ୍ଭ କରି ବହୁତଳ କାର୍ ପାର୍କିଂ କାମ ମାର୍ଚ୍ଚ ସୁଦ୍ଧା ଶେଷ କରିବୁ ବୋଲି ବିଏସ୍ସିଏଲ୍ ମହାପ୍ରବନ୍ଧକ (ଇଞ୍ଜିନିୟରିଂ) ଅଶ୍ବିନୀ ବିଶ୍ବାଳ କହିଛନ୍ତି। ଗତ ସପ୍ତାହରେ ବିଏସ୍ସିଏଲ୍ ପ୍ରକଳ୍ପ ସମୀକ୍ଷା ପରେ ଏହି ନିଷ୍ପତ୍ତି ହୋଇଛି। କରୋନା ଯୋଗୁଁ କାମ ପ୍ରଭାବିତ ହୋଇଥିଲେ ହେଁ ଏବେ ପୂର୍ବାପେକ୍ଷା ଜୋରରେ କାମ ଚାଲିଛି। ଆସନ୍ତା ମାସକ ମଧ୍ୟରେ ବହୁ କାମ ଶେଷ ହୋଇଯିବ। କିନ୍ତୁ ସମସ୍ତ ଅଧାପନ୍ତରା ପ୍ରକଳ୍ପ କାମ ମାର୍ଚ୍ଚ ୨୦୨୧ ସୁଦ୍ଧା ଚୂଡ଼ାନ୍ତ ରୂପ ପାଇବ। ଯେପରି ଠିକା ସଂସ୍ଥା ଜଲ୍ଦି କାମ କରିବେ, ଅର୍ଥର କୌଣସି ସମସ୍ୟା ରହିବନି ସେ ବ୍ୟବସ୍ଥା କରାଯାଇଛି। ଜୁଲାଇ ଅଗଷ୍ଟ ମାସରେ ୯କୋଟି ଟଙ୍କାର କାମ କରିବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ସାଢ଼େ ୬କୋଟି ଟଙ୍କାର କାମ ଶେଷ ହୋଇଛି। ସେହି ଅନୁଯାୟୀ ଠିକା ସଂସ୍ଥାଙ୍କୁ ଅର୍ଥ ଦିଆଯାଇଛି। ଦଶହରା ପୂର୍ବରୁ ବହୁ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ବିଏସ୍ସିଏଲ୍କର୍ତ୍ତୃପକ୍ଷ କହିଛନ୍ତି ଯେ, ଏବେ ଶ୍ରମିକ ସମସ୍ୟା ବିଶେଷ ନାହିଁ। ରାଜ୍ୟ ସରକାରଙ୍କର ସଙ୍ଗରୋଧ ନିୟମ ବି କୋହଳ ହୋଇଗଲାଣି। ତେଣୁ ଏବେ ବାହାର ରାଜ୍ୟରୁ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରମିକ ଆସିଗଲେଣି। ଠିକା ସଂସ୍ଥା ଯେପରି ମଜୁରି ଦେବାରେ କୌଣସି ସମସ୍ୟା କରିବେନିକି କୌଣସି ପ୍ରକାରର ବାହନା ଦେଖାଇ ପ୍ରକଳ୍ପ କାମ ଘୁଞ୍ଚାଇବେନି ସେଥିପାଇଁ ଆଗୁଆ ସତର୍କ କରାଇ ଦିଆଯାଇଛି।

14/09/2020

Leave a Reply

Your email address will not be published. Required fields are marked *

Comments