Bikash Khabar
ମନରେଗା କାମ ପ୍ରତି ଅନିଚ୍ଛା ପ୍ରକାଶ କରୁଛନ୍ତି ପ୍ରବାସୀ

 ପ୍ରବାସୀଙ୍କୁ ଗାଁରେ ମିଳିବ କାମ। ମନରେଗା ଯୋଜନାରେ ସେମାନେ ପାଇବେ ରୋଜଗାର। ପ୍ରବାସୀମାନେ ଫେରିବାକୁ ଆରମ୍ଭ କରିଥିବାବେଳେ ଏଭଳି ଘୋଷଣା କରିଥିଲେ ସରକାର। ହେଲେ ମନରେଗାରେ ମାଟି କାମ କରିବାକୁ ପ୍ରବାସୀ ଆଗ୍ରହ ଦେଖାଉନାହାନ୍ତି, କି ଆବେଦନ କରୁନାହାନ୍ତି। ଫଳରେ, ଏବେ କଟକ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଶ୍ରମ ଦିବସ ସୃଷ୍ଟି ହୋଇଥିଲେ ବି ମାତ୍ର ଶହ ଭିତରେ ଶ୍ରମିକ କାମ କରିଛନ୍ତି। ଅଧିକାଂଶ ବ୍ଲକ୍ ପଞ୍ଚାୟତରେ ଶ୍ରମିକଙ୍କ ଅଭାବ କାରଣରୁ ମେସିନ୍କରୁଛି କାମ। ଏହାକୁ ନେଇ ବ୍ଲକ୍ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମାଳ ମାଳ ଅଭିଯୋଗ ପହଞ୍ଚିଲାଣି। ଆଶ୍ଚର୍ଯ୍ୟର ବିଷୟ ଯେ, କଟକ ଜିଲ୍ଲାରେ ପ୍ରତିଦିନ ୫୦ହଜାର ମନରେଗା ଯୋଜନାରେ କାମ କରୁଛନ୍ତି ତିନିମାସ ଭିତରେ ୬ଲକ୍ଷ ୩୧ ହଜାର ଶ୍ରମ ଦିବସ ସୃଷ୍ଟି ହେଲାଣି ବୋଲି ସରକାରୀ ତଥ୍ୟ କହୁଛି। ଏହି ପରସ୍ପର ବିରୋଧୀ ତଥ୍ୟ ଏବେ ଚର୍ଚାର ବିଷୟ ହୋଇଛି।ସୂଚନା ଅନୁସାରେ, କଟକ ଜିଲ୍ଲାକୁ ଏଯାବତ୍ ୧୯ହଜାର ପ୍ରବାସୀ ହିତାଧିକାରୀ ଫେରିଲେଣି। ତାଭିତରୁ ୧୩ହଜାର ହିତାଧିକାରୀ ଟିଏମ୍ସିରେ ସଙ୍ଗରୋଧ ସାରି ହୋମ୍କ୍ବାରାଣ୍ଟିନ୍କୁ ଯାଇଥିବାବେଳେ ସେମାନଙ୍କ ଭିତରୁ ୭ହଜାରଙ୍କ ହୋମ କ୍ବାରାଣ୍ଟିନ୍ମଧ୍ୟ ସରିଲାଣି। ହେଲେ, ସେମାନେ ମନରେଗାରେ କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ସୁରତରେ ସୂତାକାମ କରୁଥିବା ପ୍ରବାସୀ ହୁଅନ୍ତୁ ବା ତେଲେଙ୍ଗାନାରେ ଢାବା ଖୋଲିଥିବା/କାମ କରୁଥିବା ଲୋକ ଏବେ ଗାଁରେ ବନ୍ଧକାମ ପାଇଁ ମାଟି ତାଡ଼ିବାକୁ ରାଜି ହେଉନାହାନ୍ତି। ହୁଅନ୍ତେ ବା କାହିଁକି? ନିଜ ଯୋଗ୍ୟତାକୁ ଭିତ୍ତି କରି କାମ ମିଳୁ ନଥିବାରୁ ପ୍ରବାସୀମାନେ ମନରେଗା କାମ କରିବାକୁ ଆଗ୍ରହ ଦେଖାଉ ନଥିବା ଜଣାପଡ଼ିଛି। ଉଦାହରଣ ଭାବେ ଆଠଗଡ଼ ସାଲେପୁର ବ୍ଲକ୍ ଦୁଇଟି ପଂଚାୟତକୁ ଯଦି ନିଆଯାଏ, ତାହେଲେ ସେହି ଦୁଇ ପଂଚାୟତରେ କେହି ଜଣେ ହେଲେ ବି ପ୍ରବାସୀ ମନରେଗାରେ କାମ ପାଇଁ ଆବେଦନ କରି ନାହାନ୍ତି। ଗୋପୀନାଥପୁର ପଞ୍ଚାୟତକୁ ୨୭ଜଣ ଫେରିଥିଲେ ବି କେହି ମନରେଗା କାମ ପାଇଁ ଆବେଦନ କରି ନଥିବା ସରପଞ୍ଚ ଦିଲ୍ଲୀପ କୁମାର ରାଉତ ସୂଚନା ଦେଇଛନ୍ତି। ସେହିପରି ଆଠଗଡର ଯୋରନ୍ଦା ପଞ୍ଚାୟତରେ ୮ଜଣ ଫେରିଥିଲେ ବି କେହି ଜଣେ ମନରେଗାରେ କାମ ପାଇନାହାନ୍ତି। ସେହିପରି ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତକୁ ୬୮ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଥିବାବେଳେ ମାତ୍ର ୧୦ଜଣ କାମ ପାଇଁ ଆବେଦନ କରିଥିବା ସରପଞ୍ଚ ରଞ୍ଜିତ କୁମାର ଦାସ ସୂଚନା ଦେଇଛନ୍ତି। କୟଳପଡାରେ ୨୫ଜଣ ପ୍ରବାସୀ ଫେରିଥିବାବେଳେ ୧୦ଜଣ କାମ ପାଇଁ ଆବେଦନ କରିଥିବା ସରପଞ୍ଚ ରଶ୍ମିରଂଜନ ପ୍ରଧାନ ସୂଚନା ଦେଇଛନ୍ତି। ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ପ୍ରମିଳା ସାହୁଙ୍କ ସୂଚନା ମୁତାବକ ତାଙ୍କ ପଞ୍ଚାୟତକୁ ୬୫ଜଣ ଫେରିଥିବା ବେଳେ ମନରେଗା ଯୋଜନାରେ ୧୪ଜଣ କାମ କରିଛନ୍ତି।

15/06/2020

Leave a Reply

Your email address will not be published. Required fields are marked *

Comments