Bikash Khabar
କେନ୍ଦ୍ରୀୟ ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି ନବୀନ

ଓଡ଼ିଶାର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ନବୀନ । ତା ନହୋଇଥିଲେ ୧ଲକ୍ଷ ୩୬ ହଜାର ୪୧୭ କୋଟି ଟଙ୍କା ପୁଞ୍ଜିନିବେଶରେ ରାଜ୍ୟରେ ହେବାକୁ ଥିବା ବିକାଶ ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀ ବାଧା ସୃଷ୍ଟି କରିନଥାନ୍ତେ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଓଡ଼ିଶାରେ ବିକାଶ ପାଇଁ ଚାହୁଁଥିବାବେଳେ ରାଜ୍ୟ ଶାସନ କିଭଳି ବାଧା ଦେଉଛି ତଥ୍ୟ ଓ ପ୍ରମାଣ ସହ ଉପସ୍ଥାପିତ କରିଥିଲେ ।

ଖୋର୍ଦ୍ଧାର ପାଇକଙ୍କ ସ୍କୃତି ଲାଗି ନିଜେ ମୁଖ୍ୟମନ୍ତ୍ରୀ ମାଗଣାରେ ଜମି ଯୋଗାଇ ଦେବାକୁ କହି ଦେଉନଥିବାବେଳେ ପାରାଦ୍ୱୀପରେ ୩୪ ହଜାର କୋଟି ଟଙ୍କା ନିବେଶ କରିଥିବା ଆଇଓସିଏଲକୁ ଜମି ଦେଉନାହାନ୍ତି । ପେଟ କୋକ ପାଇଁ ଜମି ଦେଉନାହାନ୍ତି । ଚଣ୍ଡିଖୋଲରେ ଅଶୋଧିତ ତୈଳ ଷ୍ଟ୍ରାଟେଜିକ ରିଜର୍ଭରେ ୬ ହଜାର  ୫୦୦କୋଟି ଟଙ୍କାର ପ୍ରକଳ୍ପ ୬୦୦ ଏକର ଜମି ପାଇଁ ଆଗକୁ ବଢିପାରୁନାହିଁ । ଦୀଘାରୁ ଗୋପାଳପୁର ୪୧୫ କିମି ଉପକୂଳ ରାଜପଥ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ୧୨ ହଜାର ୨୮୬ କୋଟି ଟଙ୍କା ମୂଲ୍ୟର ପ୍ରାୟ ୧୦୬୦ କିମି ରେଳବାଇ ପ୍ରକଳ୍ପ ଓଡ଼ିଶା ସରକାରଙ୍କ ଜମି ଓ ଜଙ୍ଗଲ ମଞ୍ଜୁର ନହେବାରୁ ପଡ଼ିରହିଛି । ସ୍ୱଚ୍ଛ ଭାରତ ଯୋଜନା, ଆୟୁଷ୍ମାନ ଯୋଜନା ଭଳି ୨୦ଟି ଯୋଜନାରେ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ସର୍ବାଧିକ ୫୧ ହଜାର ୩୯୫ କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ଅଟକି ରହିଥିବା ପ୍ରଧାନ ଅଭିଯୋଗ କରିଛନ୍ତି ।

24/02/2019

Leave a Reply

Your email address will not be published. Required fields are marked *

Comments