ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉତ୍ତମ ପ୍ରଶାସନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଜାତୀୟ ସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍ଲାଇନ୍ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କିଶୋର ମହାପାତ୍ର ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଯାହାକୁ ନେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସମେତ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏହାପରେ ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଶୁଭେଚ୍ଛାର ସୂଅ ଛୁଟିଛି । ବର୍ଷକ ତଳେ ଜଗତସିଂହପୁର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଦାୟତ୍ୱ ନେଇଥିଲେ । ନିଜ ଜନ୍ମସ୍ଥାନ ତିର୍ତ୍ତୋଲ ଶଙ୍ଖେଶ୍ୱର ହୋଇଥିବାରୁ ଜିଲ୍ଲାପାଳ ନୁହେଁ ଜିଲ୍ଲାର ପୁଅ ଭାବେ କାମ କରିବାକୁ ପ୍ରଥମରୁ ପଣ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମିସନ ଜଗତସିଂହପୁର । ପ୍ରଥମତଃ ଓଡ଼ିଶା ସରକାରଙ୍କ ୫ଟିକୁ ଜିଲ୍ଲାସ୍ତରରେ ବାସ୍ତବତାରେ ପରିଣତ କରିବାକୁ ପ୍ରାଧାନ୍ୟ ଦେଇଥିଲେ । ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଜିଲ୍ଲାର ପ୍ରତି ବିଭାଗ ଓ ସ୍ତରରେ ସ୍ୱଚ୍ଛତା ଆଣିବାକୁ ପ୍ରସ୍ତୁତି କରାଯାଇଥିଲା । ପ୍ରତି ସୋମବାର ହେଉଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଲୋକଙ୍କ ଅଭିଯୋଗର ସମାଧାନ ତୁରନ୍ତ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ଜିଲ୍ଲାପାଳ ଶ୍ରୀ ମହାପାତ୍ର । ସମୟ କ୍ରମେ ୫୦ ଅଭିଯୋଗ ସ୍ଥାନରେ ୫ ଶହ ଅଭିଯୋଗ ଆସିଲା । ଏହାର ତୁରନ୍ତ ସମାଧାନ କରାଗଲା ସତ ହେଲେ ଏହାପରେ ଲୋକଙ୍କ ଅଭିଯୋଗ ଶୁଣିବାକୁ (ଜନ ସହଯୋଗ ଜେଏସ୍ପୁର ଡଟ୍ ଓଆର୍ଜି) ନାମରେ ଏକ ଅନ୍ଲାଇନ୍ ପୋର୍ଟାଲ ଖୋଲା ଗଲା । ଏଥିରେ ଲଗ୍ ଇନ୍ କରି ମତାମତ, ଅଭିଯୋଗ ଏବଂ ଅଭିଯୋଗର ସ୍ଥିତି ସହଜରେ ଜାଣି ହେଲା । ପୋର୍ଟାଲଟି ଓଡିଆରେ ହୋଇଥିବାରୁ ଅଭିଯୋଗକାରୀ ସହଯରେ ଏହାକୁ ବ୍ୟବହାର କରି ପାରୁଛନ୍ତି । ଏବେ କରୋନା ଯୋଗୁଁ ଜନ ଅଭିଯୋଗ ଶୁଣାଣି ବନ୍ଦ ଥିଲେ ହେଁ ଅନ୍ଲାଇନରେ ସାଧାରଣ ଲୋକ ଅଭିଯୋଗ କରି ସୁଫଳ ପାଇ ପାରୁଛନ୍ତି ।
25/06/2020