Bikash Khabar
ଦିଲ୍ଲୀର ନିଆରା ମାଠିଆ ମଣିଷ, ୮୦ ମାଠିଆରେ ଦୈନିକ ଭରନ୍ତି ୨ ହଜାର ଲିଟର ପାଣି

୬୯ ବର୍ଷ ବୟସ୍କ ଦିଲ୍ଲୀ ବାସିନ୍ଦା ଏ. ନଟରାଜନଙ୍କୁ ଲୋକେ ମାଠିଆ ମଣିଷ ଭାବେ ଜାଣନ୍ତି । ପ୍ରତିଦିନ ଦକ୍ଷିଣ ଦିଲ୍ଲୀର ଅଗଣତି ଶୋଷିଲା ଲୋକଙ୍କ ମୁହଁରେ ଜଳ ଦେଇ ଶୋଷ ମେଣ୍ଟାନ୍ତି ଏହି ମାଠିଆ ମଣିଷ । ନଟରାଜନ ଦିଲ୍ଲୀର ଅନେକ ସାମାଜିକ ସଂଗଠନ ସହ ଜଡ଼ିତ । ଏତେ ବଡ଼ ଦିଲ୍ଲୀ ସହରରେ ଜଳ କଷ୍ଟ ଭୋଗୁଥିବାର ଚିତ୍ର ତାଙ୍କୁ ବ୍ୟଥିତ କରିଥିଲା । ପଥଚାରୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ ସେ ନିଜ ଘର ଆଗରେ ଗୋଟିଏ ପାଣି ପାଇପ୍ ଲଗାଇ ଦେଇଥିଲେ । ଉଦ୍ଦେଶ୍ୟ ଥିଲା ବାଟୋଇମାନେ ଏଥିରୁ ପାଣି ପିଇପାରିବେ ।

ଯେଉଁ କାମ ଘର ବାହାରେ ଆରମ୍ଭ ହେଲା, ସେହି କାମ ଆଜି ଦକ୍ଷିଣ ଦିଲ୍ଲୀରେ ବ୍ୟାପ୍ତ ହୋଇପାରିଛି । ଦିଲ୍ଲୀର ବିଭିନ୍ନ ଯାଗାରେ ସେ ୮୦ଟି ମାଠିଆ ବସାଇଛନ୍ତି ଯେଉଁଠି ପ୍ରତିଦିନ ସକାଳେ ପହଂଚି ସ୍ୱଚ୍ଛ ଶୁଦ୍ଧ ପିଇବା ପାଣି ଭରି କରିଥାନ୍ତି ନଟରାଜନ । ଥରେ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ପାଣି ନେଉଥିବା ଦେଖି ନଟରାଜନ ପଚାରିଲେ ତମେ ଯେଉଁଠି କାମ କରୁଛ ସେଠାରେ କଣ ପାଣି ମିଳୁନି, ଏତେ ଦୂରରୁ ଆସି ନେଉଛ । ଗାର୍ଡ଼ କହିଥିଲେ ଯେ ସେଠାରେ ପିଇବା ପାଣି ନାହିଁ । ନଟରାଜନ ଏହା ଶୁଣି ସ୍ତବ୍ଧ ହୋଇଯାଇଥିଲେ । ଶୋଷିଲାଙ୍କୁ ପାଣି ଦେବା ପାଇଁ ଏଥିରୁ ତାଙ୍କୁ ଆହୁରି ଅଧିକ ପ୍ରେରଣା ମିଳିଥିଲା ।
ନଟରାଜନ ବାଙ୍ଗାଲୁରର ମୁଳ ନିବାସୀ । ଯୁବାବସ୍ଥାରେ ସେ ଲଣ୍ଡନ ଚାଲିଯାଇ ସେଠାରେ ୪୦ ବର୍ଷ ରହିଲେ । ସେଠାରେ ରୋଗ ଗ୍ରସ୍ତ ହେବା ପରେ କମ୍ ଖର୍ଚ୍ଚରେ ଚିକିତ୍ସା ପାଇଁ ଭାରତ ଆସି ଦିଲ୍ଲୀରେ ରହିଗଲେ । ନଟରାଜନ ଏବେ ଏକ ଗାଡ଼ିରେ ୮୦୦ ଲିଟର ଟାଙ୍କି, ଜେନେରେଟର ପମ୍ପ ଆଦି ଖଞ୍ଜି ସହରସାରା ବୁଲୁଛନ୍ତି । ୮୦ଟି ଭିନ୍ନ ଭିନ୍ନ ଯାଗାରେ ପାଣି ଦେବା ପରେ କ୍ୟାନସର ହସ୍ପିଟାଲରେ ସ୍ୱେଚ୍ଛାସେବୀ ଭାବେ ରୋଗୀମାନଙ୍କ ସେବା କରିଥାନ୍ତି । ଦିଲ୍ଲୀ ସହରରେ ମାଠିଆ ଜରିଆରେ ଜଳ ଦାନ ସହିତ ସେ ବିଭିନ୍ନ ସ୍ଥାନରେ ୧୦୦ଟି ସାଇକେଲ ପମ୍ପ ସ୍ଥାପନା କରି ମାଗଣାରେ ପମ୍ପ ଦେବାର ବ୍ୟବସ୍ଥା କରି ଚର୍ଚ୍ଚାକୁ ଆସିଛନ୍ତି ।

19/01/2019

Leave a Reply

Your email address will not be published. Required fields are marked *

Comments