Bikash Khabar
ସହିଦ ଯବାନଙ୍କ ଋଣ ଛାଡ଼ କଲା ଷ୍ଟେଟବ୍ୟାଙ୍କ

ଜାମ୍ମୁ-କାଶ୍ମୀର ପୁଲୱାମାରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ସମସ୍ତ ଋଣକୁ ଭାରତୀୟ ଷ୍ଟେଟବ୍ୟାଙ୍କ ଛାଡ଼ କରିଦେଇଛି । ସହିଦ ହୋଇଥିବା ୪୦ ଯବାନଙ୍କ ମଧ୍ୟରୁ ୨୩ ଜଣଙ୍କ ନାମରେ ଋଣ ବକେୟା ରହିଥିଲା । ଏହି ବକେୟା ଋଣକୁ ସମ୍ପୂର୍ଣ୍ଣ ରୂପେ ଛାଡ଼ କରାଯାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ସେହିପରି ସମସ୍ତ ସହିଦ ଯବାନ ଏସବିଆଇର ଗ୍ରାହକ ହୋଇଥିବାରୁ ପ୍ରତ୍ୟେକଙ୍କୁ ବୀମା ବାବଦକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ସହିଦ ଯବାନଙ୍କ ଆବର୍ତ୍ତମାନରେ ଯେଉଁ କ୍ଷତି ହୋଇଛି ତାହା ପୂରଣ ଦିଗରେ ବ୍ୟାଙ୍କର ଏହା ଏକ ଛୋଟ ପ୍ରୟାସ ବୋଲି ଏସବିଆଇ କହିଛି । ଓଡ଼ିଶାର ଦୁଇ ସହିଦ ଯବାନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି । ରିଲାୟନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରତ୍ୟେକ ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ । ସେହିପରି ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ପ୍ରତ୍ୟେକଙ୍କୁ ପାଂଚଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ସେହିପରି ପୁଲୱାମାରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ପରିବାରକୁ କ୍ରେଡ଼ାଇ ପକ୍ଷରୁ ୨ ବିଏଚକେ ଘର ସେମାନଙ୍କ ରାଜ୍ୟର ରାଜଧାନୀରେ ପ୍ରଦାନ କରାଯିବ । ଇନଫୋସିଟି ଫାଉଣ୍ଡେସନ ପକ୍ଷରୁ ମଧ୍ୟ ପ୍ରତ୍ୟେକ ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ।

19/02/2019

Leave a Reply

Your email address will not be published. Required fields are marked *

Comments