Bikash Khabar
ଟାଟା ପାୱାର ହାତକୁ ଗଲା ସେସୁ, ନୂଆ କଂପାନି ପାଞ୍ଚ ବର୍ଷରେ ଖଟାଇବ ୧୫୪୧ କୋଟି

 ଆଜି ଠାରୁ ସେଣ୍ଟ୍ରାଲ୍ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପରିଚାଳନା ଟାଟା ପାୱାର କଂପାନି ଲିମିଟେଡ୍‌ (ଟିପିସିଏଲ୍‌) ହାତକୁ ଯାଇଛି ଏହା ହେଉଛି ଟାଟା ପାୱାର ଏକ ସହଯୋଗୀ ସଂସ୍ଥା ଯାହାକୁ ସେସୁର ପରିଚାଳନା ପାଇଁ ଗଠନ କରାଯାଇଛି। ସେସୁରେ ଥିବା ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଅଂଶଧନ କିଣିବା ଲାଗି ଟାଟା ପାୱାର ୧୭୫ କୋଟି ଟଙ୍କା ଦେଇଛି। ଗତବର୍ଷ ଡିସେମ୍ବର ୧୨ରେ ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ କମିସନ (ଇଓଆର୍ସି) ଲେଟର ଅଫ୍ ଇଣ୍ଟେଣ୍ଟ୍‌ (ଏଲ୍ଆଇଓ) ଜାରି କରିଥିଲେ। ଏବେ ସେଥିପାଇଁ ନିର୍ଦେଶ ଜାରି କରିଛନ୍ତି। ଆଜି ଠାରୁ ସେସୁର ନାମ ହେବ ଟାଟା ପାୱାର ସେଣ୍ଟ୍ରାଲ୍ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ସେସୁର ପରିଚାଳନା ଲାଗିଗଠନ କରାଯାଇଥିବା ସଂସ୍ଥା ଟିପିସିଏଲ୍ ୫୧ ପ୍ରତିଶତ ଅଂଶଧନ ଟାଟା ପାୱାର ପାଖରେ ଏବଂ ବଳକା ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଗ୍ରିଡ୍କୋ ପାଖରେ ରହିବ। ଟାଟା ପାୱାର ତରଫରୁ ୧୫୦ କୋଟି ଟଙ୍କାର ପ୍ରଦର୍ଶନ ଭିତ୍ତିକ ଗ୍ୟାରେଣ୍ଟି ଦିଆଯାଇଛି। ବିଦ୍ୟୁତ ପରିଚାଳନାରେ ହେଉଥିବା ବୈଷୟିକ ସରବରାହ ଜନିତ କ୍ଷତିକୁ (ଏଟିଆଣ୍ଡ୍ଟି କ୍ଷତି) ଓଇଆର୍ସି ଦ୍ବାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ମଧ୍ୟକୁ ଟାଟା ପାୱାର ଆଣିବ ବୋଲି ପ୍ରତିଶ୍ରୁତି ଦେଇଛି। ଯଦି ସେହି ଲକ୍ଷ୍ୟ ହାସଲରେ କଂପାନି ବିଫଳ ହେବ ତେବେ ତାହା ପରଫରମାନ୍ସ ଗ୍ୟାରେଣ୍ଟି ରାଶି ହରାଇବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏଟିଆଣ୍ଡ୍ଟି କ୍ଷତିକୁ ୨୦.୧୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।ସେସୁ ଅଧୀନରେ ବକେୟା ରାଶି ପରିମାଣ ୧୮୦୦ କୋଟି ଟଙ୍କା ରହିଥିବା ବେଳେ ଗ୍ରାହକମାନଙ୍କ ଠାରୁ ୨୦୨୫ ସୁଦ୍ଧା ୨୦୦ କୋଟି ଟଙ୍କାର ବକେୟା ରାଶି ଆଦାୟ କରିବାକୁ ଟିପିସିଏଲ୍ପ୍ରତିଶ୍ରୁତି ଦେଇଛି। ଏହା ବ୍ୟତୀତ ଆସନ୍ତା ପାଞ୍ଚବର୍ଷ ପାଇଁ ଏହି କଂପାନି ୧୫୪୧ କୋଟି ଟଙ୍କା ବିନିଯୋଗ କରିବ। ସେସୁ ଅଧିଗ୍ରହଣ ପାଇଁ ସ୍ବାକ୍ଷରିତ ହୋଇଥିବା ବୁଝାମଣାରେ ଉଲ୍ଲେଖ କରାଯାଇଛି ଯେ ସେସୁର ସମସ୍ତ କର୍ମଚାରୀଙ୍କୁ ଟିପିସିଏଲ୍ ନିଜ ପାଖରେ ରଖିବ। ସେମାନଙ୍କ ନିଯୁକ୍ତି ସର୍ତ୍ତାବଳୀକୁ ଗୌଣ କରାଯିବ ନାହିଁ। ଅବସର ନେଇଥିବା କର୍ମଚାରୀଙ୍କ ବାବଦରେ ହେଉଥିବା ଖର୍ଚ୍ଚକୁ ଟିପିସିଏଲ୍ବହନ କରିବ। ସେସୁ ନାମରେ ପୂର୍ବରୁ ଯେଉଁ ବିବାଦ ରହିଛି ତାହା ନୂଆ କଂପାନି ବୁଝିବ। ସେସୁ ପରିଚାଳନା ଅଧୀନରେ ଆସୁଥିବା ପାଞ୍ଚଟି ବିଦ୍ୟୁତ ସର୍କଲ୍ରେ ବିତରଣ ଏବଂ ବିଦ୍ୟୁତର ଖୁଚୁରା ଯୋଗାଣ ଲାଗି ଟିପିସିଏଲ୍୨୫ ବଷିଆ ଲାଇସେନ୍ସ ହାସଲ କରିଛି। ସେହି ସର୍କଲ୍ଗୁଡ଼ିକ ହେଉଛି ଭୁବନେଶ୍ବର (ବିଦ୍ୟୁତ ସର୍କଲ୍ ), କଟକ, ପାରାଦୀପ ଏବଂ ଢେଙ୍କାନାଳ। ବର୍ତ୍ତମାନ ଟାଟା ପାୱାର ମୁମ୍ବାଇ, ଦିଲ୍ଲୀ ଆଜ୍ମେର୍ରେ ବିଦ୍ୟୁତ ସେବା ଯୋଗାଇ ଦେଉଛି। ସେସୁକୁ ଅଧିଗ୍ରହଣ କରିବା ପରେ ଏହାର ଗ୍ରାହକ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିବ।

01/06/2020

Leave a Reply

Your email address will not be published. Required fields are marked *

Comments