Bikash Khabar
୧୪ ଗୋପାଳ ପରିବାର କୁ ପ୍ରଶାସନ ଗଣିବ ୧୪ ଲକ୍ଷ ଟଙ୍କା ତଣ୍ଡ

ବ୍ରହ୍ମଗିରି ଥାନା ବୁଢ଼ାକେରା ଗାଁର ୧୪ ଗୋପାଳ ପରିବାରଙ୍କୁ ଗ୍ରାମବାସୀ ବାସନ୍ଦ କରିଥିଲେ। ସେମାନେ ରଖିଥିବା ମହିଷୀ ଫସଲ ନଷ୍ଟ କରୁଥିବାରୁ କ୍ଷତିପୂରଣ ଦାବି କରି ଏହି ବାସନ୍ଦ କରାଯାଇଥିଲା। ଗୋପାଳ ପରିବାର ଗୁଡିକ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେହେଁ ସୁଫଳ କିଛି ମିଳିନଥିଲା। ଏବେ  ସୁରକ୍ଷା ଦେବାରେ ଅବହେଳା ପୁରୀ ଜିଲ୍ଲା ପ୍ରଶାସନକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ୧୪ ଲକ୍ଷ ଟଙ୍କା ତଣ୍ଡ ଗଣିବାକୁ ଯାଉଛି। ରାଜ୍ୟ ମାନବାଧିକାର କମିସନ୍ ଏହି ଘଟଣାରେ ବିରକ୍ତି ଭାବ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ପ୍ରତି ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବାକୁ ନିର୍ଦେଶ ଦେଇଛନ୍ତି। ଗାଁରେ ଭାଇଚାରାର ବାତାବରଣ ଫେରାଇ ଆଣିବାକୁ ଆବଶ୍ୟକ ଉଦ୍ୟମ ସହ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ବୁଢ଼ାକେରା ଗାଁ ସମୁଦାୟ ୨୬ ଗୋପାଳ ପରିବାର ମଧ୍ୟରୁ ୧୪ ପରିବାର ସେମାନଙ୍କ କଥାରେ ରାଜି ହୋଇ ଜରିମାନା ନଦେବାରୁ ସେମାନଙ୍କୁ  ଚାଷବାସ ପାଇଁ ଥିବା ଉଠା ଜଳସେଚନ ପ୍ରକଳ୍ପରୁ  ଜଳଯୋଗାଣ ବନ୍ଦ ରଖାଯାଇଛି। ବାସନ୍ଦ ଗୋପାଳ ପରିବାରମାନଙ୍କ ଅଭିଯୋଗ, ବୁଢ଼ାକେରାର ସବର୍ଣ୍ଣ ଲୋକେ ଗୋଚର ଭୂମିକୁ ଜବରଦଖଲ କରି ଏଠାରେ ଚାଷବାସ କରୁଛନ୍ତି। ଯେଉଁଥିପାଇଁ ଗାଈଗୋରୁ ଚରିବା ପାଇଁ ସ୍ଥାନାଭାବ ଦେଖାଦେଇଛି। ଗୋପାଳ ମାନଙ୍କୁ  ଗାଈଗୋରୁ ବିକ୍ରି କରିବାକୁ ବଳପ୍ରୟୋଗ କରାଯାଇଛି   ନାନାଦି ନିର୍ଯାତନା ଦିଆଯାଉଛି। ଏହି ଭୟରେ କିଛି ଗୋପାଳ ପରିବାର ଗାଁ ଛାଡ଼ି ଅନ୍ୟତ୍ର ରହୁଛନ୍ତି।ଏ ସଂପର୍କରେ ୧୪ ଗୋପାଳ ପରିବାର ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ, ଏସପିଙ୍କୁ ବି ଅଭିଯୋଗ କରିଥିଲେ। କିନ୍ତୁକିଛି ନ୍ୟାୟ ମିଳିଲାନି। ଓଲଟା ନାନାଦି ଧମକ ଦିଆଗଲା। ଶେଷରେ ଏହି ପରିବାର ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ମାନବାଧିକାର କମିସନ୍ ଆରକ୍ଷୀ ଅଧୀକ୍ଷକଙ୍କୁ ଉପରେ ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଘଟଣାର ଯେପରି ସ୍ଥାୟୀ ପ୍ରତିକାର ହୋଇପାରିବ, ସେ ବ୍ୟବସ୍ଥା କରିବାକୁ ବି ଚିଠି କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଦିଗରେ କୌଣସି ପଦକ୍ଷେପ ନିଆଯାଇନି। ୧୪ ଗୋପାଳ ପରିବାର ଏବେ ବି ଭୟଭୀତ ଅବସ୍ଥାରେ ଜୀବନ କାଳାତିପାତ କରୁଛନ୍ତି। ରାଜ୍ୟ ମାନବାଧିକାର କମିସନ୍ ଏହି ଘଟଣାର ବିସ୍ତୃତ ଅନୁଧ୍ୟାନ ବିଚାର ପରେ ଜିଲ୍ଲା ପ୍ରଶାସନକୁ ୧୪ ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଗାଁରେ ଶାନ୍ତି ଫେରିବା ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଚାଷ ଜମି ଯେପରି ଜଳସେଚିତ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ବ୍ରହ୍ମଗିରି ଥାନାରେ ମାମଲା ରୁଜୁ କରିବା ସହ ନିୟମିତ ଗାଁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ ପାଇଁ କମିସନ କହିଛନ୍ତି। ଯେଉଁ ପରିବାରମାନେ ବାହାରେ ରହୁଛନ୍ତି ସେମାନେ କିପରି ସୁରକ୍ଷିତ ଗାଁକୁ ଫେରିବେ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି ଆୟୋଗ

07/06/2019

Leave a Reply

Your email address will not be published. Required fields are marked *

Comments