Bikash Khabar
ଅନ୍‌ଲାଇନରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ

କୃଷି ଭିତ୍ତିକ ଦ୍ରବ୍ୟ ଲକ୍‌ଡାଉନ ସମୟରେ ଯେପରି ବଜାରରେ ପହଞ୍ଚି ପାରିବ, ସେଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଅନ୍‌ଲାଇନ କୃଷିଜାତ ଦ୍ରବ୍ୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ୱେବସାଇଟ୍‌ର ନାଁ ହେଉଛି, http://odihort.nic.in/। ବିଶେଷ କରି ଉଦ୍ୟାନଭିତ୍ତିକ ଫସଲ ଯଥା, ଫଳ, ପନିପରିବା,ଫୁଲ,ମସଲାକୁ ଗୁରୁତ୍ୱ ଦିଆଯାଉଛି। ଏହି ଦ୍ରବ୍ୟଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନଷ୍ଟ ହୋଇ ଥାଆନ୍ତି। ତେଣୁ ଅନ୍‌ଲାଇନରେ ଯେପରି ଶୀଘ୍ର ବିକ୍ରି ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏହି ୱେବସାଇଟ୍‌ ଜରିଆରେ ୩୦ ଜିଲାର ଉଦ୍ୟାନ ଅଧିକାରୀମାନେ ତାଙ୍କ ଜିଲାର ବଳକା ଉତ୍ପାଦନ ଦ୍ରବ୍ୟ ବିଷୟରେ ଉଲ୍ଲେଖ କରିବେ। ଏହାକୁ ଆୟୁଧ କରି ଇଚ୍ଛୁକ ବ୍ୟବସାୟୀମାନେ ସେମାନଙ୍କୁ ଯୋଗାଯୋଗ କରି ଦ୍ରବ୍ୟ କ୍ରୟ କରିବେ। ଏହା ଦ୍ୱାରା ସେମାନେ ଚାଷୀମାନଙ୍କ ସହ ମଧ୍ୟ ସିଧାସଳଖ ଯୋଗାଯୋଗ ରକ୍ଷା କରିପାରିବେ। ଶୁଭାରମ୍ଭ କରାଯିବାର କେଇ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୫୦୦ ଚାଷୀ ଏଥିରେ ନିଜକୁ ପଞ୍ଜୀକୃତ କରିଥିବା ଜଣାପଡିଛି। ସେହିପରି ବ୍ୟବସାୟୀମାନଙ୍କ ଅବଗତି ନିମନ୍ତେ ରାଜ୍ୟର ଚାଷୀମାନଙ୍କ ପାଖରେ ବଳକା ଥିବା ଉଦ୍ୟାନ ଭିତ୍ତିକ ଉତ୍ପାଦିତ ଦ୍ରବ୍ୟ ସମ୍ପର୍କରେ ଏସ୍‌ଏମ୍‌ଏସ୍‌ ଜରିଆରେ ଅବଗତ କରାଯିବ। ଏହି ୱେବ୍‌ସାଇଟ୍‌ ଉଦ୍‌ଘାଟନ ବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସୁରେଶ ବଶିଷ୍ଠ, ଉଦ୍ୟାନ ନିର୍ଦ୍ଦେଶକ ମୁଥୁକୁମାରଙ୍କ ସମେତ ଅନ୍ୟ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଅଂଶଗ୍ରହଣ କରିଥିଲେ।

22/04/2020

Leave a Reply

Your email address will not be published. Required fields are marked *

Comments