Bikash Khabar
ପଛୁଆ ଇଲାକାର ଆଗୁଆ ଛାତ୍ରଛାତ୍ରୀ,ଗାଁରେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା, ଗହଳିରୁ ନିଜକୁ ଦୂରେଇ ରଖିବା ସଂପର୍କରେ କୁଇ ଭାଷାରେ ଆଦିବାସୀ ଗାଁରେ ସଚେତନତାର ଏପରି ବାର୍ତ୍ତା ବାଣ୍ଟି ଚାଲିଛନ୍ତି ସ୍କୁଲ୍ ଛାତ୍ରଛାତ୍ରୀ। କରୋନାରୁ ବର୍ତ୍ତିବା ପାଇଁ ସଚେତନତା ହିଁ ଏକ ମାତ୍ର ବାଟ ହୋଇଥିବାରୁ କରୋନା ଯୁଦ୍ଧର କୁନି ଯୋଦ୍ଧା ସାଜି ଛାତ୍ରଛାତ୍ରୀ ଜାରି ରଖିଥିବା ଏପରି ଉଦ୍ୟମକୁ ପ୍ରଶଂସା କରିଛି ୟୁନିସେଫ୍। କୋଲନରା ବ୍ଲକ ଏସ୍. ପିତେଶୁ ଗାଁର ରଚନା କେସ୍କରିକା। ବୟସ ୧୨ ବର୍ଷ। ଅନୁସୂଚିତ ଜାତି, ଜନଜାତି ବିଭାଗ ଦ୍ବାରା ପରିଚାଳିତ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରଚନା କରୋନା ମୁକାବିଲା ଲାଗି ଗାଁ ଲୋକଙ୍କୁ ଶିଖାଉଛନ୍ତି ହାତ ଧୂଆ, ମାସ୍କ ପିନ୍ଧିବା ଶୈଳୀ। ନିଜ ଅଭିଭାବକଙ୍କ ଜରିଆରେ ଗାଁ ଲୋକଙ୍କୁ ଏକାଠି କରି ସଚେତନତା କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି କରୁଛନ୍ତି ଅନୁରୋଧ। କେବଳ ରଚନା ନୁହଁନ୍ତି, ରାୟଗଡ଼ା ବ୍ଲକ୍ ଧୁମାଗୁଡା ଗ୍ରାମର ସଞ୍ଜନା କାଡ୍ରକା, ପିତାମହଲ ପଞ୍ଚାୟତ ହାସୁକୁ ଗ୍ରାମର ଆନନ୍ଦ କଣ୍ଡାଗିରି ଭଳି ଅନେକ ଛାତ୍ରଛାତ୍ରୀ ନିଜ ଗାଁରେ ସଚେତନତା ଜାରି ରଖିଛନ୍ତି। ସଚେତନତାର ବାର୍ତ୍ତାବହ ପାଲଟିଥିବା ଛାତ୍ରଛାତ୍ରୀଙ୍କ ଏପରି ଉଦ୍ୟମକୁ ୟୁନିସେଫ୍ ରାଜ୍ୟ ଶିକ୍ଷା ପରାମର୍ଶଦାତା ଲଳିତା ପଟ୍ଟନାୟକ ପ୍ରଶଂସା କରିବା ସହ ଜାତୀୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପହଞ୍ଚାଇବା ପାଇଁ ଏକ ଭିଡ଼ିଓ କରି ପଠାଇବାକୁ ନିବେଦନ କରିଛନ୍ତି।କରୋନା ମୁକାବିଲା ଲାଗି ସରକାରୀ ଓ ବେସରକାରୀ ସ୍ତରରେ ଚାଲିଛି ସମସ୍ତ ପ୍ରକାର ଉଦ୍ୟମ। ଲୋକଙ୍କୁ ଏହି ଭୟଙ୍କର ରୋଗରୁ ଦୂରେଇ ରଖିବା ଲାଗି ସରକାର ସଚେତନତାକୁ ପ୍ରାଥମିକତା ଦେଇଛନ୍ତି। ଯେଉଁଥିରୁ ବାଦ୍ ପଡ଼ି ନାହାନ୍ତି ପଛୁଆ ଇଲାକାର ଆଗୁଆ ଆଦିବାସୀ ଛାତ୍ରଛାତ୍ରୀ। ରାୟଗଡା ଜିଲ୍ଲା ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଭାବକ, ସାହି ପଡିଶା ତଥା ଗାଁର ଲୋକଙ୍କୁ  ଅଜଣା ରୋଗର ଭୟାଭୟତା ସଂପର୍କରେ ବୁଝାଇ ଏହାର ସଫଳ ମୁକାବିଲା ଲାଗି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିବେଦନ କରୁଛନ୍ତି।

30/04/2020

Leave a Reply

Your email address will not be published. Required fields are marked *

Comments