Bikash Khabar
ବନ୍ଦ ହେବ ବ୍ଲକ୍‌ଗ୍ରାଣ୍ଟ ସ୍କୁଲ! ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇବାକୁ ପ୍ରସ୍ତାବ

 ରାଜ୍ୟରେ ଥିବା ବ୍ଲକ୍ଗ୍ରାଣ୍ଟ/ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀ ସ୍କୁଲ ସହ ମିଶ୍ରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସରକାରୀ ବିଦ୍ୟାଳୟ ନିକଟରେ ଥିବା ବ୍ଲକ୍ଗ୍ରାଣ୍ଟ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ମିଶ୍ରଣ କରିବାକୁ ସ୍ଥିର ହୋଇଛି। ସେଠାରେ ପଢ଼ୁଥିବା ପିଲାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଉକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଦିଆଯିବ। ଗତ ଜାନୁଆରି ୧୯ ତାରିଖରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟର ସମସ୍ତ ବ୍ଲକ୍ଶିକ୍ଷା ଅଧିକାରୀଙ୍କଠାରୁ ଗଣଶିକ୍ଷା ବିଭାଗ ମତାମତ ଲୋଡ଼ିଛି। ନିଷ୍ପତ୍ତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବା ସହ ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ବ୍ଲକ୍ଗ୍ରାଣ୍ଟ/ଅନୁଦାନପ୍ରାପ୍ତ/ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ଏକ ନୀତି ଅଣାଯିବ। ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ହେବା ପରେ ସେଠାରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଡେପୁଟେସନ ଭିତ୍ତିରେ ଅନ୍ୟ ବିଦ୍ୟାଳୟରେ ପାଠ ପଢ଼ାଇବେ। ବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ବ୍ଳକ୍ଗ୍ରାଣ୍ଟ ସରକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ହେବେ। ଅଗ୍ରାଧିକାର ଭିତ୍ତିରେ ବିଦ୍ୟାଳୟଗୁଡ଼ିକର ଏକତ୍ରୀକରଣ କରାଯିବ। ତେଣୁ ନିଷ୍ପତ୍ତି ଉପରେ ଅଧିକ ବିଚାରବିମର୍ଶ କରି ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଇବାକୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ପ୍ରଦୀପ କୁମାର ବେହେରା ଗତ ତାରିଖରେ ପ୍ରାଥମିକ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ। ତାହାକୁ ଆଧାର କରି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କଠାରୁ ମତାମତ ଲୋଡ଼ାଯାଇଛି।

21/02/2020

Leave a Reply

Your email address will not be published. Required fields are marked *

Comments