ବାତ୍ୟା ‘ବୁଲ୍ବୁଲ୍’ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର ଏବଂ ମୟୂରଭଞ୍ଜ ଆଦି ୬ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହିସବୁ ଜିଲାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ତନ୍ମଧ୍ୟରୁ ୨ ଲକ୍ଷ ହେକ୍ଟରରୁ ସାମାନ୍ୟ ଅଧିକ ଜମି ୩୩%ରୁ ଊର୍ଦ୍ଧ୍ୱ ପ୍ରଭାବିତ ହୋଇଛି। ସେହିପରି ବିଭିନ୍ନ ଗଣମାଧ୍ୟମରେ ୩ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ହେଲେ ତନ୍ମଧ୍ୟରୁ ୨ ମୃତ୍ୟୁ ବୁଲ୍ବୁଲ୍ ଦ୍ୱାରା ନୁହେଁ, ଅନ୍ୟ ଗୋଟିଏ ମୃତ୍ୟୁ ସମ୍ପର୍କିତ ତଦନ୍ତ ଜାରି ରହିଥିବା ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ୬ ଜିଲାର ଜିଲାପାଳ ଏବଂ କୃଷି ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି। ଜିଲାପାଳଙ୍କୁ ୫ ଦିନ ମଧ୍ୟରେ କ୍ଷୟକ୍ଷତି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ କୁହାଯାଇଛି। ଅନ୍ୟପକ୍ଷରେ ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ‘ବୁଲ୍ବୁଲ୍’ ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଦେଖିବେ। ଏହାପରେ ସନ୍ଧ୍ୟାରେ ଲୋକସେବା ଭବନରେ ‘ବୁଲ୍ବୁଲ୍’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ସହାୟତା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ବୈଠକ ପରେ କ୍ଷୟକ୍ଷତି ସହାୟତା ସମ୍ପର୍କିତ ବିଶେଷ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି। ବୁଲ୍ବୁଲ୍ ପ୍ରଭାବ କମିବା ପରେ ପ୍ରଭାବିତ ଜିଲାରେ ସ୍ଥାନୀୟ ପ୍ରଶାସନ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି), ଜିଲାପାଳ, ଉପଜିଲାପାଳ, ତହସିଲଦାର ପ୍ରମୁଖ ତୃଣମୂଳ ଅଞ୍ଚଳ ଗସ୍ତ କରିଥିବା ଜଣାପଡ଼ିଛି। ସେହିଭଳି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଏସ୍ଆର୍ସି ଜେନା ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାତ୍ୟା/ବର୍ଷା କାରଣରୁ ୮୬୬୦ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଶେଷ ଖବର ସୁଦ୍ଧା ସମସ୍ତେ ନିଜ ନିଜ ବାସସ୍ଥଳୀକୁ ଫେରିଛନ୍ତି। ବାତ୍ୟାରେ ବିଭ୍ରାଟ ହୋଇଥିବା ବିଜୁଳି ବ୍ୟବସ୍ଥାକୁ ୧୨ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସଜଡ଼ାଯିବ। ପ୍ରଭାବିତ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧୫ ଲକ୍ଷଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ୫୫୦୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ କମ୍ସଂଖ୍ୟକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଏସ୍ଆରସି ଜେନା କହିଛନ୍ତି
11/11/2019