ଆର୍ଥିକ ଅନଟନ ଏକ ଆଳ ମାତ୍ର। ନିଷ୍ଠା, ଏକାଗ୍ରତା ଓ ଇଚ୍ଛା ଥିଲେ ଯେ ଜଣେ ରୋଷେୟା ସହାୟକଙ୍କ ପୁଅ ସ୍କୁଲ୍ ଟପର ହୋଇପାରେ ତାହା ପ୍ରମାଣିତ କରି ଦେଖାଇଛନ୍ତି ଚିରଞ୍ଜୀବୀ ପାଣି। କଳିଙ୍ଗନଗର ଘାଟିକିଆସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ୯୪ ପ୍ରତିଶତ ନମ୍ବର ରଖି କେବଳ ସ୍କୁଲ୍ରେ ଟପର ହୋଇନାହାନ୍ତି, ଯେଉଁମାନେ ଦାରିଦ୍ରୢକୁ ଆଳ କରି ପଢ଼ାରେ ଅଗ୍ରସର ହୋଇପାରିବେନି ବୋଲି ଭାବୁଛନ୍ତି ସେମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଚିରଞ୍ଜୀବୀଙ୍କ ବାପା ନାରଣ ପାଣି ଏସ୍ଓଏସ୍ ଭିଲେଜ୍ରେ ରୋଷେୟା ସହାୟକ ଭାବେ କାମ କରନ୍ତି। ସ୍ବଳ୍ପ ଦରମାରେ ଘାଟିକିଆରେ ଏକ ଭଡ଼ା ଘର କରି ରହୁଥିଲେ ହେଁ କେବେ ପୁଅର ବହି ପତ୍ରରେ ଉଣା କରିନଥିଲେ। ନାରଣଙ୍କ କହିବା ମୁତାବକ, ସେ ଭାବିଥିଲେ ପୁଅ ଭଲ କରିବ କିନ୍ତୁ ଏତେ ନମ୍ବର ଯେ ରଖିବ ସେକଥା ଭାବିନଥିଲେ। ସେ କହିଛନ୍ତି, ଆଜି ମୋ ପୁଅ ମୋ ମୁଣ୍ଡ ଉଚ୍ଚା କରିଛି। ତାହା ମୋ ପାଇଁ ଗର୍ବର କଥା। ଚିରଞ୍ଜୀବୀଙ୍କ ଇଚ୍ଛା ସେ କୃଷି ବୈଜ୍ଞାନିକ ହେବେ। କୃଷକଙ୍କ ପାଇଁ ଏମିତି ଯନ୍ତ୍ରପାତି ତିଆରି କରିବେ ଯେମିତି ତାହା ସେମାନଙ୍କ ଚାଷ କାର୍ଯ୍ୟକୁ ସୁଗମ କରିପାରିବ। ପରିବାରରେ ଅସୁବିଧା ଥିଲେ ମଧ୍ୟ ବାପା କେବେ ସେସବୁକୁ ମତେ ଜଣାଇବାକୁ ଦେଇନାହାନ୍ତି। ତେଣୁ ଅତିରିକ୍ତ ପଢ଼ାଘର ନଥିବାରୁ ରୋଷେଇ ଘରେ ବସି ପଢ଼ୁଥିଲି। ପରିଶ୍ରମର ମୂଲ୍ୟ ରହିଥିବାରୁ ଖୁସି ଲାଗୁଛି। ଆଗକୁ ମଧ୍ୟ ସ୍ବପ୍ନକୁ ସାକାର କରିବା ପାଇଁ ଆହୁରି ପରିଶ୍ରମ କରିବି ବୋଲି ସେ କହିଛନ୍ତି।
30/07/2020