Bikash Khabar
ଗାଁ ଓ କଲୋନି କାନ୍ଥରେ କରୋନା ସଚେତନତା

 ଘର କାନ୍ଥରେ ଅଙ୍କାଯାଉଛି ଭଳିକି ଭଳି ଚିତ୍ର। କରୋନା ସମ୍ପର୍କିତ ସଚେତନତା ବାର୍ତା ବି ଲେଖାଯାଉଛି। କେଉଁଠି ମାସ୍କ ପିନ୍ଧିବା ନେଇ ବାର୍ତା ରହିଛି ତ ଆଉ କେଉଁଠି ହାତ ଧୋଇବା, ଘର ଓ ବାହାରକୁ ପରିସ୍କାର ପରିଚ୍ଛନ୍ନ ରଖିବା କଥା ବି ଉଲ୍ଲେଖ ହୋଇଛି। ଏଥିସହ ଓଡ଼ିଆଙ୍କ ବାର ମାସର ତେର ପର୍ବପର୍ବାଣୀ, ମହାପୁରୁଷଙ୍କ ବାଣୀ, ନିଜକୁ ସୁସ୍ଥ ରଖିବାର ଉପାୟ ବିଷୟରେ ବି ଚିତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି। ରାଜଧାନୀ ଉପକଣ୍ଠ ଗାଁରେ ଦେଖିବାକୁ ମିଳୁଛି ଏଭଳି ଚିତ୍ର। ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି)ର ମହିଳାମାନେ ଏହାର ଦାୟିତ୍ବ ନେଇଛନ୍ତି। ଦିନରାତି ଏକ କରି ଲୋକଙ୍କୁ ସ‌ଚେତନତାର ବାର୍ତା ବାଣ୍ଟି ଚାଲିଛନ୍ତି। ମଞ୍ଚେଶ୍ବର ଅଞ୍ଚଳର ବିଏମ୍‌ସି ୱାର୍ଡ ନମ୍ବର ୧୨ର ଆଦିମାତା କଲୋନି ଓ ୯ ନମ୍ବର ୱାର୍ଡର ରଙ୍ଗମାଟିଆ ଗାଁ ଶିଶୁ ଉଦ୍ୟାନ ଓ ମନ୍ଦିର ପାଚେରିରେ ଆକର୍ଷଣୀୟ ଚିତ୍ର ହୋଇଛି। ଜଣେ ପୂର୍ବତଟ କର୍ପୋରେଟରଙ୍କ କହିବାନୁଯାୟୀ ଲକ୍‌ଡାଉନ୍ ସମୟରେ ଏସ୍‌ଏସ୍‌ଜିର ମହିଳାଙ୍କୁ ସ୍ବାବଲମ୍ବୀ କରିବା ଓ ସେମାନଙ୍କୁ ସ୍ବଳ୍ପ ରୋଜଗାର ଯୋଗାଇଦେବା ପାଇଁ ଏଭଳି ଅଭିନବ ପ୍ରୟାସ କରାଯାଇଛି। ଏହି ଅଞ୍ଚଳ ଲାଗି ସଞ୍ଜୀବନୀ ମହିଳା ମହାସଂଘକୁ ଦାୟିତ୍ବ ମିଳିଛି। ଏହି ମହାସଂଘ ସମସ୍ତ ୱାର୍ଡର ଏସ୍ଏସ୍‌ଜି ମହିଳାମାନଙ୍କୁ କାମ ବାଣ୍ଟି କାର୍ଯ୍ୟକ୍ରମର ତଦାରଖ କରୁଛି। ବର୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ଦୁଇ ହଜାର ସ୍କୋୟାର ଫୁଟ୍ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଗାମୀ ଦିନରେ ଗଜପତି ନଗର, ପ୍ରେସ୍ କଲୋନି ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳର କାନ୍ଥ ରଙ୍ଗିନ୍ ହେବ ବୋଲି ସୂଚନା ମଳିଛି। ଆଦିମାତା‌ କଲୋନିର ପ୍ରମୋଦ କୁମାର ଦାଶ କହିଛନ୍ତି ଯେ ଏହା ଏକ ଭଲ ପଦକ୍ଷେପ।

20/11/2020

Leave a Reply

Your email address will not be published. Required fields are marked *

Comments