Bikash Khabar
ଫିକା ପଡିଛି କଟକ ତାରକସି ର ଚମକ

ହଜାରହଜାର ବର୍ଷର ସହର କଟକ। ଐତିହ୍ୟ ପରମ୍ପରା ଭିତରେ ବଞ୍ଚିଛି ଏଠାକାର ଲୋକଙ୍କ ମାନ ଆଉ ସ୍ବାଭିମାନ। ଏହା କେବଳ ଗୋଟିଏ ସହରର ନାଁ ନୁହେଁ, ବରଂ ଭାରତ ଭୂଖଣ୍ଡରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ବହନ କରୁଥିବା ଏକ କଳାର ମାଟି। ବିଶ୍ୱ ମାନଚିତ୍ରରେ ଉତ୍କୃଷ୍ଟ ତାରକସି କାର୍ଯ୍ୟ ପାଇଁ ଏହି ମାଟିର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ତାରକସି କଳା ଏବେ ବିଲୁପ୍ତପ୍ରାୟ। ଏବେ ଏହି କଳାକୁ କଳାବାଦଲ ଗ୍ରାସିଛି। ତାରକସି କଳାକୁ ଆଦରି ଜୀବିକାକୁ ଆଗେଇ ନେଉଥିବା କଳାକାରଙ୍କ ଅବସ୍ଥା ଦୁର୍ଦ୍ଦିନରେ ବିତୁଛି। କହିବାକୁ ଗଲେ ବୁଡ଼ିବାକୁ ବସିଲାଣି ତାରକସି ଶିଳ୍ପ ଏବେ ସହରରେ ହାତଗଣତି କାଁଭାଁ  କାରିଗର। ୨୦ବର୍ଷ ପୂର୍ବେ କଟକର ଯେଉଁ ଗଳିରେ ୧୦୦ରୁ ୨୦୦ ତାରକସି କାରିଗର ଥିଲେ ଏବେ ସେଠାରେ ୨ରୁ ୩ଜଣ ଲୋକ ଚାନ୍ଦିକୁ ଚମକାଉଛନ୍ତି। କୌଣସି ବିଶେଷ ସୁବିଧା ସୁଯୋଗ ଥିବାରୁ ପରପିଢ଼ି ମଧ୍ୟ ଏହି କଳାରୁ ମୁହଁ ଫେରାଇଲେଣି। ଏହା ନିଶ୍ଚିତ ଯେ, ତାରକସି କାର୍ଯ୍ୟରେ କୌଣସି ଯୁବପିଢ଼ି ନାହାନ୍ତି। ଏଣୁ ଆଉ ଗୋଟିଏ ପିଢ଼ି ଅତିକ୍ରମ ପରେ କଟକରେ ତାରକସି କାର୍ଯ୍ୟ ପ୍ରାୟ ବନ୍ଦ ହୋଇଯିବାର ସମ୍ଭାବନା ଦେଖା ଦେଇଛି।ସୁନ୍ଦର ତାରକସି କାମ ପାଇଁ ଦିନେ ଏହି ସହର ପ୍ରସିଦ୍ଧି ଅର୍ଜନ କରିଥିଲା ଦେଶ ତଥା ଦେଶ ବାହାର ରୁ ବହୁ ବ୍ୟବସାୟୀ ତଥା ବ୍ୟବହାରକାରୀ କଟକ ତାରକସି କାମ କୁ ଖୋଜୁଥିଲେ

ହଜିଗଲା ତାରକସି ହବ୍

କଟକ ଖପୁରିଆ ଶିଳ୍ପାଞ୍ଚଳ ଭିତରେ କଳିଙ୍ଗ ଫିଲିଗ୍ରୀ ନାମରେ ଏକ ସଂସ୍ଥା ଥିଲା। ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱରେ ଥିଲେ। ଏଠାରେ ପ୍ରସ୍ତୁତ ତାରକସି ସାମଗ୍ରୀ ବିଦେଶରେ ବିକ୍ରି କରାଯିବା ସହ ମୋଟା ଅଙ୍କର ଅର୍ଥ ରୋଜଗାର ହେଉଥିଲା। ଫଳସ୍ବରୂପ କାରିଗରମାନେ ଲାଭବାନ ହେଉଥିଲେ। ମାତ୍ର ଅନେକ ବର୍ଷ ହେବ କଳିଙ୍ଗ ଫିଲିଗ୍ରୀ ବନ୍ଦ ହୋଇପଡ଼ିଛି। ଏହାକୁ ତାରକସି ହବ୍ରେ ପରିଣତ କରାଯିବ ବୋଲି ବିଭିନ୍ନ ନେତା, ମନ୍ତ୍ରୀ କଟକର ସଭାସ୍ଥଳରେ ଘୋଷଣା କରିଥିଲେ। ଶୁଣିବାକୁ ମିଳିଥିଲା ଯେ, ବାରବାଟୀ ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଏହି ହବ୍ନିର୍ମାଣ ହେବ। ପରେ ତୁଲସୀପୁର ଠାରେ ତାରକସି ହବ୍ହେବ ବୋଲି କୁହାଯାଉଥିଲା। ଏବେ ହାଡ଼ିଆପଠା ନିକଟରେ କରାଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏହି ହବ୍କେବେ ହେବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ।

26/11/2019

Leave a Reply

Your email address will not be published. Required fields are marked *

Comments