Bikash Khabar
ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ ପାଇଁ ଗଠିତହେଲା କମିଟି

 ରାଜ୍ୟରେ ମାତୃ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ସଂପୂର୍ଣ୍ଣାଯୋଜନାକୁ ଅଧିକ କ୍ରିୟାଶୀଳ କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯିବା ସହ ଆସନ୍ତା ୧ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମାତୃ ଶିଶୁ ମୃତ୍ୟୁ ହ୍ରାସ ନେଇ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଦ୍ବାଦଶ ପଞ୍ଚବାର୍ଷିକ ଯୋଜନାରେ ଶିଶୁ/ମାତୃ ମୃତ୍ୟୁହାର ହ୍ରାସ ଲାଗି ଯେଉଁ ଲକ୍ଷ୍ୟ ଦିଆଯାଇଥିଲା, ତାହା ହାସଲ ହୋଇଛି। ମାତ୍ର ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରି ରାଜ୍ୟକୁ ୧ନଂ ରାଜ୍ୟରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି। ୨୦୧୧/୧୩ବର୍ଷରେ ରାଜ୍ୟରେ ପ୍ରତି ୧ଲକ୍ଷ ପ୍ରସୂତିଙ୍କ ମଧ୍ୟରୁ ୨୨୨ଜଣ ପ୍ରାଣ ହରାଉଥିବା ବେଳେ ୨୦୧୪/୧୬ସୁଦ୍ଧା ତାହା୧୮୦କୁ ଖସି ଆସିଛି। ୨୦୨୦ ସୁଦ୍ଧା ସଂପୂର୍ଣ୍ଣା ଯୋଜନା ମାଧ୍ୟମରେ ଏହାକୁ ୧୧୭ ୨୦୩୦ ସୁଦ୍ଧା ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପିରି ୨୦୧୧/୧୩ରେ ପ୍ରତି ୧ହଜାର ନବଜାତକଙ୍କ ମଧ୍ୟରୁ ୫୧ଜଣ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ୨୦୧୭ରେ ତାହା ୪୧ରେ ପହଞ୍ଚିଛି। ୨୦୨୦ ସୁଦ୍ଧା ଏହି ସଂଖ୍ୟା ୩୦କୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।ସର୍ବଭାରତୀୟ ସ୍ତରରେ ମାତୃ ମୃତ୍ୟୁହାର ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ରାଜ୍ୟରେ ମଧ୍ୟ ଏହି ହାର ଜାତୀୟସ୍ତର ସହିତ ତାଳ ଦେଇ ହ୍ରାସ ପାଇବାରେ ଲାଗିଛି। ନବଜାତକଙ୍କ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ମଧ୍ୟ ସର୍ବଭାରତୀୟ ହାରରେ ଓଡ଼ିଶା ପାଖାପାଖି ରହିଛି। ୨୦୧୭ସୁଦ୍ଧା ଜାତୀୟ ସ୍ତରରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୩୩ଜଣ ମରୁଥିବା ବେଳେ ଓଡ଼ିଶାରେ ଏହା ୪୧ ରହିଛି। ସଂପୂର୍ଣ୍ଣା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏଫ୍ଆରୟୁରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୂତିଙ୍କ ପାଇଁ ଥିବା ଓଟି ଏନ୍ଏନ୍ସିୟୁରେ ତାଲିମପ୍ରାପ୍ତ ଷ୍ଟାଫ ନର୍ସ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ଗର୍ଭବତୀ ମହିଳାଙ୍କଠାରେ ଦେଖାଯାଉଥିବା ରକ୍ତହୀନତାର ନିରାକରଣ ପୁଷ୍ଟିହୀନତା ଦୂର ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ଶିଶୁ ମାତୃସ୍ବାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଏଫ୍ଆରୟୁଗୁଡ଼ିକୁ ଅଧିକ ସୁଦୃଢ଼ କରିବା, ଅତ୍ୟାଧୁନିକ ଆଇସିୟୁ କାର୍ଯ୍ୟକ୍ଷମ କରିବା ସଂପୂର୍ଣ୍ଣା ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ତଦାରଖ କରିବା ଉପରେ ଜୋର ଦିଆଯାଇଛି।

29/08/2019

Leave a Reply

Your email address will not be published. Required fields are marked *

Comments