ବଡ଼ଚଣା ମାଟିର ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ଚତୁର୍ଥଥର ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରାଯାଇଛି। କ୍ରାନ୍ତିଦିବସ ଅବସରରେ ସଂଗ୍ରାମୀଙ୍କ ବାଲିପଡ଼ିଆସ୍ଥିତ ବାସଭବନରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ପହଞ୍ଚି ତାଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସମ୍ମାନ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଭବନରୁ ଆସିଥିବା ଅଙ୍ଗବସ୍ତ୍ର ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା ତାଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଂଗ୍ରାମୀ ଶ୍ରୀ ସାମଲଙ୍କୁ ଶ୍ରୀମଦ୍ ଭାଗବତ ପୁସ୍ତକ ଉପହାର ଦିଆଯାଇଥିଲା। କୋଭିଡ୍-୧୯ କଟକଣା ଯୋଗୁଁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନକୁ ଏଥର ସ୍ବାଧୀନତା ସଂଗ୍ରାମୀଙ୍କୁ ଡକାନଯାଇ ନିଜ ଘରେ ଏହି ସମ୍ବର୍ଦ୍ଧନାର ବ୍ୟବସ୍ଥା କରାଯାଇଥିଲା। ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ସମ୍ମାନ ପାଇ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ସଂଗ୍ରାମୀ ଶ୍ରୀ ସାମଲ କହିଥିଲେ। ଦେଶ ଓ ଜାତିକୁ ସଜାଡ଼ିବାରେ ଯୁବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହ ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ। ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଆଇଏଏସ ସଚିନ ପାୱାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସଂଗ୍ରାମୀଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଧନ୍ୟବାଦ ଦେଇଥିଲେ।
10/08/2020